ହାଇଦ୍ରାବାଦ: ଭାରତର ସହଯୋଗ ସମ୍ମିଳିତ ପ୍ରକଳ୍ପଗୁଡ଼ିକର କାମ ବନ୍ଦ କରିଦେବା ଲାଗି ଚୀନ୍ କିଭଳି ଅଭିସନ୍ଧିମୂଳକ ଉପାୟ ଅବଲମ୍ବନ କରୁଛି, ତାହାର ଆଉ ଏକ ଉଦାହରଣ ହେଉଛି, ଇଷ୍ଟ କଣ୍ଟେନର ଟର୍ମିନାଲ (ECT) ସ୍ଥାପନ ଚୁକ୍ତିରୁ ଓହରିଯିବା ପାଇଁ ଶ୍ରୀଲଙ୍କା ସରକାରଙ୍କ ନିଷ୍ପତ୍ତି ।
କଲମ୍ବୋ ବନ୍ଦରରେ ECT ସ୍ଥାପନ ନିମନ୍ତେ ଭାରତ, ଜାପାନ ଓ ଶ୍ରୀଲଙ୍କା ମଧ୍ୟରେ 2018 ମସିହାରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ସେତେବେଳେ ମହିନ୍ଦା ରାଜପକ୍ଷ, ଶିରିସେନାଙ୍କ ନେତୃତ୍ବାଧୀନ ଶ୍ରୀଲଙ୍କାନ ଫ୍ରିଡମ୍ ପାର୍ଟି (SLFP) ଛାଡ଼ି ଦେଇଥିଲେ ଏବଂ ଶ୍ରୀଲଙ୍କାରେ ଶିରିସେନା-ରନିଲ-ୱିକ୍ରମାସିଂଘେଙ୍କ ଶାସନ ଚାଲିଥିଲା । ପରେ ରାଷ୍ଟ୍ରପତି ୱିକ୍ରମାସିଂଘେ SLFP ସହ ହାତ ମିଳାଇଥିଲେ ଏବଂ ସହଭାଗୀ ଦେଶ ମଧ୍ୟରେ ଏକ ସହଯୋଗ ଭିତ୍ତିକ ବୁଝାମଣା ବା ମେମୋରେଣ୍ଡମ୍ ଅଫ କୋଅପରେସନ୍ (MoC) ସଂପନ୍ନ କରାଇଥିଲେ ।
ଗୋଟିଏ କ୍ୟାବିନେଟ୍ ବୈଠକରେ, ECTର ଉନ୍ନତୀକରଣ ନିମନ୍ତେ ବିଦେଶୀ ପୁଞ୍ଜି ବିନିଯୋଗ ସପକ୍ଷରେ ୱିକ୍ରମାସିଂଘେ ବକ୍ତବ୍ୟ ଦେଇଥିବା ବେଳେ ଶିରିସେନାଙ୍କ ସହ ତାଙ୍କର ପ୍ରବଳ କଥା କଟାକଟି ହୋଇଥିଲା ।
ଏହି ଅଞ୍ଚଳରେ ଚୀନର ପ୍ରଭାବ ହ୍ରାସ କରିବା ସହିତ ପ୍ରକଳ୍ପରୁ ଶ୍ରୀଲଙ୍କାକୁ ସର୍ବାଧିକ ଫାଇଦା ପହଞ୍ଚାଇବା ହିଁ ଏହି ବୁଝାମଣାର ପ୍ରାଥମିକ ଲକ୍ଷ୍ୟ ଥିଲା । ଯଦି ଏହି ଭାଗିଦାରୀ ସଫଳତାର ସହ କାର୍ଯ୍ୟକାରୀ ହୋଇଥାଆନ୍ତା, ତେବେ ଏହି ପ୍ରକଳ୍ପ ଉପରେ ଶ୍ରୀଲଙ୍କାର 100 ପ୍ରତିଶତ ମାଲିକାନା ରହିପାରିଥାଆନ୍ତା ଏବଂ ପରିଚାଳନା କ୍ଷେତ୍ରରେ ମାଲିକାନା ଥିବା ଦେଶ ପାଖରେ 51 ପ୍ରତିଶତ ଭାଗିଦାରୀ ରହିଥାଆନ୍ତା । ଚୀନର ସଂପୃକ୍ତି ରହିଥିବା ଶ୍ରୀଲଙ୍କାର ଅନ୍ୟାନ୍ୟ ପ୍ରକଳ୍ପରେ, ଏସିଆର ଏହି ପ୍ରମୁଖ ଅର୍ଥନୈତିକ ଶକ୍ତି ହାତରେ ହିଁ ମାଲିକାନାର ବୃହତ୍ ଭାଗ ରହିଛି ।
ହେଲେ, ECT ପ୍ରକଳ୍ପ ସଂପର୍କିତ ତ୍ରିପାକ୍ଷିକ ବୁଝାମଣା ବିପକ୍ଷରେ ରାଜପକ୍ଷ ଭ୍ରାତୃଗଣ ଲଗାତାର ପ୍ରଚାର ଚଳାଇଲେ ଏବଂ ଏହା ଫଳରେ କେବଳ ଯେ ଏହି ପ୍ରକଳ୍ପକୁ ନ୍ୟୂନ କରାଗଲା ତାହା ନୁହେଁ, ବରଂ 2020 ନିର୍ବାଚନରେ ସେମାନେ ବିରୋଧୀ ପକ୍ଷ ତୁଳନାରେ ସୁବିଧାଜନକ ସ୍ଥିତିରେ ରହିଲେ । ଏଭଳି ନିର୍ବାଚନ ପ୍ରଚାର ଯୋଗୁଁ କଲମ୍ବୋ ବନ୍ଦରରେ ECT ସ୍ଥାପନ ବୁଝାମଣା ବିରୋଧରେ ବନ୍ଦର କର୍ମଚାରୀ ସଂଘ ଆନ୍ଦୋଳନ କଲେ । ଏହା ନିର୍ବାଚନ ପ୍ରଚାରର ଏକ ପ୍ରମୁଖ ଅଂଶରେ ପରିଣତ ହେଲା ଏବଂ ଆନ୍ଦୋଳନକାରୀ ବନ୍ଦର କର୍ମଚାରୀ ସଂଘକୁ ରାଜପକ୍ଷ ପ୍ରତିଶ୍ରୁତି ଦେଲେ ଯେ ସେ ନିର୍ବାଚିତ ହେଲେ ECT ବୁଝାମଣାକୁ ରଦ୍ଦ କରିଦେବେ । ରାଜପକ୍ଷ କ୍ଷମତାସୀନ ହେବା ପରେ ଏହା ସ୍ପଷ୍ଟ ହୋଇଗଲା ଯେ ଭାରତ ପାଇଁ ଏହି ଦ୍ବୀପ ରାଷ୍ଟ୍ରରେ ଅନେକ କିଛି ପରିବର୍ତ୍ତନ ଘଟିବ ।
କଲମ୍ବୋ ବନ୍ଦରରେ ECT ପ୍ରକଳ୍ପ ଚୀନ ପାଇଁ ଚକ୍ଷୁଃଶୂଳ ହୋଇଥିଲା, କାରଣ ଏହା ଶ୍ରୀଲଙ୍କା ଓ ଚୀନର ସହଭାଗିତାରେ ପ୍ରସ୍ତାବିତ କଲମ୍ବୋ ଇଣ୍ଟରନ୍ୟାସନାଲ କଣ୍ଟେନର ଟର୍ମିନାଲ ନିକଟରେ ସ୍ଥାପିତ ହେବାକୁ ଯାଉଥିଲା ଏବଂ ଏହି 1.4 ବିଲିଅନ୍ (ଶହ କୋଟି) ଡଲାରର ପ୍ରକଳ୍ପରେ ଚୀନର ସର୍ବାଧିକ 84 ପ୍ରତିଶତ ଅଂଶଧନ ରହିଛି ।
କିଭଳି ଚୀନ ଅନ୍ୟାନ୍ୟ ଦେଶର ସ୍ବାର୍ଥକୁ ଏଡ଼ାଇ ଯାଇ ପାଖ ପଡ଼ିଶା ଅଞ୍ଚଳରେ ଏବଂ ଅନ୍ୟ ଦେଶରେ ମଧ୍ୟ ନିଜର ଉପସ୍ଥିତି ଜାହିର କରିବାକୁ ତତ୍ପର ହୋଇଉଠିଛି ଏଠାରେ ତାହା ବୁଝିବା ଗୁରୁତ୍ବପୂର୍ଣ୍ଣ । ଏସିଆ, ୟୁରୋପ ଏବଂ ଆହୁରି ଦୂରରେ ମଧ୍ୟ ନିଜର ଅର୍ଥନୈତିକ ଓ ରାଜନୈତିକ ପ୍ରଭାବ ବିସ୍ତାର କରିବା ଲକ୍ଷ୍ୟରେ ଚୀନ୍ ଏକ ବୃହତ୍ ‘ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍’ କାର୍ଯ୍ୟକାରୀ କରିଛି ଏବଂ ପରବର୍ତ୍ତୀ ସମୟରେ ସାମୁଦ୍ରିକ ବାଣିଜ୍ୟ ପଥ ସ୍ଥାପନ ସହ ସମଗ୍ର ଅଞ୍ଚଳରେ ରାସ୍ତା ସମୂହର ଏକ ନେଟ୍ୱର୍କ ଗଢ଼ିବାରେ ଲାଗିଛି ।
ଚୀନ ଚାହେଁ ଯେ, ବିନା କୌଣସି ପ୍ରତିରୋଧରେ ତା’ର ଲକ୍ଷ୍ୟ ପୂରଣ ହେଉ । ହେଲେ ଭାରତର ଆକାର ଓ ଭୂ-ରାଜନୈତିକ ଅବସ୍ଥିତିକୁ ବିଚାରକୁ ନେଲେ, ଚୀନର ସଂପ୍ରସାରଣବାଦୀ ନୀତି ବିରୋଧରେ ନୂଆଦିଲ୍ଲୀ ଏକ ସ୍ବାଭାବିକ ଏବଂ ସମର୍ଥ ପ୍ରତିପକ୍ଷ ରୂପରେ ଉଭା ହୁଏ । ଏହି କାରଣରୁ ହିଁ, ସବୁ କ୍ଷେତ୍ରରେ ଚୀନ ଭାରତର ପିଛା କରିବାରେ ଲାଗିଛି ଏବଂ ଦେଶକୁ ଅର୍ଥନୈତିକ ଆଘାତ ଦେବା ଲକ୍ଷ୍ୟରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ ହେବାକୁ ଥିବା ଉନ୍ନୟନ ପ୍ରକଳ୍ପରେ ବ୍ୟାଘାତ ସୃଷ୍ଟି ଲାଗି ଉଦ୍ୟମ କରୁଛି ।
କେବଳ ECT ନୁହେଁ, ଚାବହର-ଜାହେଦାନ ରେଳ ସଂଯୋଗୀକରଣ ପ୍ରକଳ୍ପ କ୍ଷେତ୍ରରେ ମଧ୍ୟ ଚୀନ ଅନୁରୂପ ପନ୍ଥା ଆପଣେଇଛି । ଭାରତର ନିର୍ମାଣକାରୀ ସଂସ୍ଥା IRCON ଜରିଆରେ ଏହି ପ୍ରକଳ୍ପ ନିର୍ମାଣ ପ୍ରସ୍ତାବ ରହିଥିବା ବେଳେ ଭାରତକୁ ଏହି ପ୍ରକଳ୍ପରୁ ଦୂରେଇ ରଖିବା ଲାଗି ଚୀନ୍ ଇରାନ ନେତାମାନଙ୍କ ସହ ଗୋପନ ସାକ୍ଷାତ କରିଥିଲା ଏବଂ ସାମୟିକ ଭାବେ ଏଥିରେ ବ୍ୟାଘାତ ସୃଷ୍ଟି କରିଥିଲା । ତେବେ, ଇରାନ୍ ଶ୍ରୀଲଙ୍କାର ବିପରୀତ ପନ୍ଥା ଅବଲମ୍ବନ କରିଛି ଏବଂ ଭାରତ ପାଇଁ ଏହି ପ୍ରକଳ୍ପରେ ସମସ୍ତ ବିକଳ୍ପକୁ ସଂପୂର୍ଣ୍ଣ ବନ୍ଦ କରିଦେଇନାହିଁ । ବାସ୍ତବରେ, ଚାବହର ବନ୍ଦରରେ ଭାରତର କାର୍ଯ୍ୟକ୍ରମ ତ୍ବରାନ୍ବିତ ହୋଇଛି । ବିଶେଷତଃ, ହ୍ବାଇଟ୍ ହାଉସ୍ରୁ ଡୋନାଲଡ ଟ୍ରମ୍ପଙ୍କ ଅଭାବିତ ଢଙ୍ଗରେ ପ୍ରସ୍ଥାନ ପରେ ଏହା ସମ୍ଭବ ହୋଇଛି ।
ଚୀନର ବିଭାଜନକାରୀ ରାଜନୀତି
ଶ୍ରୀଲଙ୍କା ପୋଡୁଜନା ପେରମୁନା (SLPP ବା ପିପୁଲ୍ସ ଫ୍ରଣ୍ଟ) ନାମରେ ରାଜପକ୍ଷ ଭ୍ରାତୃଗଣ ସେମାନଙ୍କ ନିଜର ଦଳ ଗଢ଼ିବା ପରେ ସେମାନଙ୍କ ପ୍ରତି ଶ୍ରୀଲଙ୍କାର ବୌଦ୍ଧଧର୍ମାବଲମ୍ବୀ-ସିଂହଳୀ ଜାତିର ସମର୍ଥନ ଅତି ମାତ୍ରାରେ ବୃଦ୍ଧି ପାଇଛି । ଏହି ନବଗଠିତ ପିପୁଲ୍ସ ଫ୍ରଣ୍ଟ୍, ଦ୍ବୀପର ରାଜନୈତିକ ଦୃଶ୍ୟପଟ୍ଟରେ ଆସ୍ଥାନ ଜମାଇଥିବା ଶ୍ରୀଲଙ୍କା ଫ୍ରିଡମ୍ ପାର୍ଟି (SLFP) ଏବଂ ୟୁନାଇଟେଡ୍ ନ୍ୟାସନାଲ ପାର୍ଟି (UNP) ନାମକ ଶ୍ରୀଲଙ୍କାର ଦୁଇଟି ବୃହତ୍ ଦଳର ସ୍ଥିତିକୁ ବିପର୍ଯ୍ୟସ୍ତ କରି ଦେଇଛି ।
ମହିନ୍ଦା ରାଜପକ୍ଷ ପୂର୍ବରୁ SLPF କୋଟାରେ ଶ୍ରୀଲଙ୍କାର ପ୍ରଧାନ ମନ୍ତ୍ରୀ ରୂପେ କ୍ଷମତାସୀନ ହୋଇସାରିଥିଲେ ହେଁ ତାଙ୍କ ସାନଭାଇ ହିଁ ନିଜର ଏକ ନୂତନ ଦଳ ଗଢ଼ିବାରେ ମୁଖ୍ୟ ଭୂମିକା ନେଇଥିଲେ । ରାଜପକ୍ଷଙ୍କୁ ପୁଣି କ୍ଷମତାସୀନ କରିବା ହିଁ ଚୀନ ଆଶୀର୍ବାଦରେ ଗଠିତ ଏହି ଦଳର ମୁଖ୍ୟ ଲକ୍ଷ୍ୟ ଥିଲା । ଅନ୍ୟଥା, ମହିନ୍ଦାଙ୍କ ବିରୋଧରେ ଆଗତ ଯୁଦ୍ଧକାଳୀନ ଅପରାଧରେ ସଂପୃକ୍ତି ଅଭିଯୋଗ ଯୋଗୁଁ ସେ ହୁଏତ ଜେଲରେ ଥାଆନ୍ତେ । ପୂର୍ବ ସରକାର ନେଇଥିବା ନିଷ୍ପତ୍ତି ଚୀନ ବିରୋଧୀ ଥିଲା ବୋଲି ଚୀନର ଧାରଣା ହୋଇଥିଲା ଏବଂ ଏହି ନିଷ୍ପତ୍ତିଗୁଡ଼ିକୁ ପ୍ରତ୍ୟାହାର କରିନେବାର ଫାଇଦା ଏବେ ରାଜପକ୍ଷ ଭ୍ରାତୃଗଣ ହାସଲ କରୁଛନ୍ତି । କୌଣସି ରଣନୀତି ଭିତ୍ତିକ ପ୍ରକଳ୍ପରେ ଭାରତକୁ ସାମିଲ କରିବା ଶ୍ରୀଲଙ୍କା ପାଇଁ କଷ୍ଟକର ମନେହେଉଥିଲା ଏବଂ ସେହି କାରଣରୁ ଏହା ଏକ ବିକଳ୍ପ ଅଂଶୀଦାର ସନ୍ଧାନରେ ରହିଥିଲା । ବାସ୍ତବରେ, ECTରୁ ଓହରି ଯିବା ଭାରତ ପାଇଁ ଏକ ଉଚିତ ପଦକ୍ଷେପ ହେବ ନାହିଁ । କଲମ୍ବୋ ବନ୍ଦରରେ ବନ୍ଦ ହୋଇଯାଇଥିବା ଏହି ପ୍ରକଳ୍ପ ସଂପର୍କରେ ବାର୍ତ୍ତାଳାପ ଜାରି ରହିବା ଉଚିତ ଏବଂ ଏହା ଫଳରେ ପ୍ରକଳ୍ପକୁ ଭାରତର ପ୍ରତ୍ୟାବର୍ତ୍ତନ ସମ୍ଭାବନା ଚର୍ଚ୍ଚାରେ ତ ରହିବ ।
ବିଲାଲ ଭଟ