ନୂଆଦିଲ୍ଲୀ:ବିଧାନସଭା ନିର୍ବାଚନ ନେଇ ଜାତୀୟ ରାଜନୀତି ଉଷ୍ମ ହେବାରେ ଲାଗିଛି । ବିଭିନ୍ନ ଦଳଗୁଡିକ ମଧ୍ୟରେ ରାଜନୈତିକ ବୟାନବାଜି, ଆରୋପ ପ୍ରତ୍ୟାରୋପ ଜାରି ରହିଛି । ନିକଟ ଅତୀତରେ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିବା ବେଳେ କଂଗ୍ରେସ ମଧ୍ୟ ବିଜେପିକୁ ଘେରିବାକୁ କୌଣସି ଅବସର ଛାଡିନାହିଁ । ଆଜି ଏହାରି ମଧ୍ୟରେ ମୁହଁ ଖୋଲିଛନ୍ତି ନିଜ ନିରବତା ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂ । ମନମୋହନ ଆଜି ମୁହଁ ଖୋଲିବା ସହ ଚୀନ ଭାରତ ସୀମା ବିବାଦ ପରି ଜାତୀୟ ସୁରକ୍ଷା ପ୍ରସଙ୍ଗ ସମେତ ଅର୍ଥନୀତି, ବେକାରୀ ପରି ପ୍ରସଙ୍ଗ ଉଠାଇ ମୋଦିଙ୍କ ନେତୃତ୍ବାଧୀନ ବିଜେପି ସରକାରକୁ କଡା ସମାଲୋଚନା କରିଛନ୍ତି ।
ଚୀନ ସହ ସୀମା ବିବାଦ ପ୍ରସଙ୍ଗରେ ମନମୋହନ କହିଛନ୍ତି ଦେଶ ବିଭାଜନ ହେବା ପରଠାରୁ ଏହି ପ୍ରସଙ୍ଗରେ ବିବାଦ ଜାରି ରହିଛି । ଗଲୱାନ୍ ଭ୍ୟାଲି, ହଟ୍ ସ୍ପ୍ରିଙ୍ଗସ୍ ଏବଂ କଙ୍ଗ୍ରଙ୍ଗ୍ ନାଲା ସମେତ ଏକାଧିକ ଅଞ୍ଚଳରେ ଚୀନ୍ ସେନା ଅନୁପ୍ରବେଶ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାରେ ଲାଗିଛି । 14 ରାଉଣ୍ଡ ସାମରିକ ଆଲୋଚନା ସମାପ୍ତ ହେବା ପରେ ମଧ୍ୟ ଦୁଇ ଦେଶ ମଧ୍ୟରେ କୌଣସି ସମାଧାନର ପନ୍ଥା ବାହାରିବା ସମ୍ଭବପର ହୋଇ ନାହିଁ । ବିଜେପି ସରକାରର ବିଦେଶ ନୀତି ଫେଲ ମାରିବା ଫଳରେ ଚୀନ ପ୍ରସଙ୍ଗରେ ଏପରି ସ୍ଥିତି ସୃଷ୍ଟି ହୋଇଛି । କିନ୍ତୁ ବିଜେପି ତାର ତ୍ରୁଟି ସ୍ବୀକାର ପରିବର୍ତ୍ତେ ସତ୍ୟ ଲୁଚାଇବାରେ ଭରପୁର ପ୍ରୟାସ ଜାରି ରଖିଛନ୍ତି ।
ସେହିପରି ବର୍ତ୍ତମାନ ଦେଶର ଅର୍ଥନୀତିକୁ ନେଇ ମଧ୍ୟ ସରକାରଙ୍କୁ ଘେରିଛନ୍ତି ମନମୋହନ । ଗୋଟିଏ ପଟେ ଲୋକମାନେ ମୁଦ୍ରାସ୍ଫୀତି ଏବଂ ବେକାରୀ ସଙ୍କଟକୁ ସାମ୍ନା କରୁଥିବା ବେଳେ ସରକାର ନିଜ ଭୁଲକୁ ଲୁଚାଇବା ପାଇଁ ପୂର୍ବତନ ତଥା ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଦାୟୀ କରିବାରେ ଲାଗିଛି । ନିଜ ବିଫଳତାକୁ ଲୁଚାଇବା ପାଇଁ ଦେଶର ଇତିହାସକୁ ଦାୟୀ କରିବା ପରିବର୍ତ୍ତେ ବିଜେପି ନେତାମାନେ ନିଜର ଆତ୍ମସମୀକ୍ଷା କରନ୍ତୁ ବୋଲି ମଧ୍ୟ ମନମୋହନ କହିଛନ୍ତି ।