ହାଇଦ୍ରାବାଦ: ଆଜି ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ । ଲୋକେ ଆଜିର ଦିନକୁ ବିଶେଷ ଭାବେ ଶିଶୁ ଦିବସ ଭାବେ ଜାଣିଥାନ୍ତି । କାରଣ ପଣ୍ଡିତ ଜବାହରଲାଲ ନେହେରୁ ବା ଚାଚା ନେହେରୁ ତାଙ୍କ ଜନ୍ମଦିନକୁ ଶିଶୁମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ଦେଶର ଉନ୍ନତି, ପ୍ରଗତି ଦିଗରେ ଶିଶୁମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ଚାଚା ମତ ରଖିଥିଲେ ।
ଆଜିର ଶିଶୁ, ଆସନ୍ତାକାଳିର ଭବିଷ୍ୟତ । ତେଣୁ ବର୍ତ୍ତମାନରୁ ଶିଶୁଙ୍କ ପ୍ରତି ଦାୟିତ୍ବବାନ ହେବାକୁ ଚାଚା ସନ୍ଦେଶ ଦେଇଥିଲେ । ସେବେଠାରୁ ଚାଚା ନେହେରୁଙ୍କ ଜନ୍ମଦିନକୁ ସାରା ଦେଶରେ ଶିଶୁ ଦିବସ ଭାବେ ପାଳନ କରାଯାଉଛି । ବିଶେଷ କରି ଦେଶବ୍ୟାପୀ ପ୍ରତିଟି ଶିକ୍ଷାନୁଷ୍ଠାନରେ ଶିଶୁ ଦିବସ ପାଳନ କରାଯାଏ । ଇତିହାସକୁ ମନେପକାଇ ସୁସମାଜ ଗଠନ ପାଇଁ ଶିଶୁଙ୍କୁ ଦାୟିତ୍ବବାନ ହେବା ଶିଖାଏ ଏହି ଦିବସ । ସେହିପରି ଏକ ସୁସ୍ଥ ସମାଜ ପାଇଁ ମଧ୍ୟ ବର୍ତ୍ତମାନଠୁ ଶିଶୁଙ୍କ ସୁରକ୍ଷା ମୂଳ ବୋଲି ବଡମାନଙ୍କୁ ସନ୍ଦେଶ ଦିଏ ଏହି ଦିନ ।
୧୮୮୯ ମସିହା ନଭେମ୍ବର ୧୪ରେ ଉତ୍ତର ପ୍ରଦେଶ ଆହ୍ଲାବାଦ ସହରର ଏକ କାଶ୍ମୀର ପଣ୍ଡିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ପଣ୍ଡିତ ଜବାହରଲାଲ ନେହେରୁ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତା ସ୍ବରୂପରାଣୀ । ସେ ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିଖିଲେ । ଅଗଷ୍ଟ ୧୫ ୧୯୪୭ ରୁ ମେ' ୧୯୬୪ ପର୍ଯ୍ୟନ୍ତ ସେ ଦେଶର ପ୍ରଧାନମନ୍ତ୍ରୀ ଥିଲେ । ବାପା ମୋତିଲାଲ ନେହେରୁ ତାଙ୍କ ପଢା ପାଇଁ ଘରେ ଏକାଧିକ ଦେଶୀ-ବିଦେଶୀ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ୟୁରୋପୀୟ ଶିକ୍ଷକ ଟି ବ୍ରୁକ୍ସ । ତାଙ୍କ ଠାରୁ ନେହେରୁ ଗଭୀର ଭାବେ ପ୍ରଭାବିତ ହୋଇଥିଲେ ଏବଂ ତାଙ୍କ ପ୍ରେରଣାରେ ଦର୍ଶନ, ବିଜ୍ଞାନ, ଇତିହାସ ଓ ସାହିତ୍ୟ ଆଦିରେ ମନଦେଇଥିଲେ ।