ରାଞ୍ଚି: କଥାରେ ଅଛି ଯେ କୌଣସି କାର୍ଯ୍ୟ କରିବା ପାଇଁ ଇଚ୍ଛାଶକ୍ତିର ନିହାତି ଆବଶ୍ୟକ । ତେବେ ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଝାରଖଣ୍ଡର ଖୁଣ୍ଟି ଜିଲ୍ଲାରେ । ଏହି ଜିଲ୍ଲାର ବିରହୁ ପଞ୍ଚାୟତ ଅନ୍ତର୍ଗତ ପତରାଟୋଲି ଗ୍ରାମର ଛାତ୍ରମାନେ ଗାଁର ରାସ୍ତା କଡ଼ରେ ଲାଗିଥିବା ସୋଲାର ଷ୍ଟ୍ରିଟ ଲାଇଟ ତଳେ ବସି ପାଠ ପଢ଼ୁଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଖୁଣ୍ଟି ସହର ଠାରୁ ପ୍ରାୟ ୫ କିମି ଦୂରରେ ଅବସ୍ଥିତ ଏହି ବିରହୁ ପଞ୍ଚାୟତର ପତରାଟୋଲି ଗାଁ । ଏହି ଗାଁରେ ପ୍ରାୟ ୧ ମାସ ପୂର୍ବରୁ ଟ୍ରାନ୍ସଫର୍ମର ଜଳିଯାଇଥିଲା । ତେବେ ଦୀର୍ଘ ୧ ମାସ ପରେ ମଧ୍ୟ ଏହା ଠିକ ହୋଇନଥିଲା । ପିଲାମାନେ କିଛିଦିନ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ମଧ୍ୟ ବିଜୁଳି ନଆସିବାରୁ ଶେଷରେ ରାସ୍ତା କଡ଼ରେ ଲାଗିଥିବା ଷ୍ଟ୍ରିଟ ଲାଇଟ ତଳେ ହିଁ ପାଠପଢ଼ା ଆରମ୍ଭ କରିଥିଲେ ।
ପ୍ରକାଶ ଥାଉ କି, ଏହି ଖୁଣ୍ଟି ଜିଲ୍ଲା ଝାରଖଣ୍ଡର ଏକ ମାଓ ପ୍ରବଣ ଜିଲ୍ଲା । କିନ୍ତୁ ଏହି ଜିଲ୍ଲାର ପିଲାମାନଙ୍କ ମଧ୍ୟରେ ଖୁବ ପ୍ରତିଭା ରହିଛି । ସେ ପାଠ ପଢ଼ା ହେଉ କିମ୍ବା ଖେଳକୁଦ, ରାଜ୍ୟରେ ଖୁଣ୍ଟି ଜିଲ୍ଲା ସବୁବେଳେ ଆଗରେ ରହିଛି । ତେବେ ଏହି ଜିଲ୍ଲାରେ ଅନେକ ସ୍ଥାନରେ ଲୋକମାନଙ୍କୁ ମୌଳିକ ସୁବିଧା ମଧ୍ୟ ମିଳୁନଥିବା ଅଭିଯୋଗ ହୋଇଆସୁଛି । ବିଜୁଳି ଭଳି ମୌଳିକ ସୁବିଧା ସହର ସ୍ଥାନ ଗୁଡ଼ିକରେ ମଧ୍ୟ ବିଶେଷ ଭାବେ ଲୋକଙ୍କୁ ମିଳିପାରୁନାହିଁ । ଗ୍ରାମାଞ୍ଚଳ କଥା ନକହିବା ଭଲ ।