ନୂଆଦିଲ୍ଲୀ:ମଝି ଆକାଶରେ ଅସୁସ୍ଥ ହୋଇପଡିଲା ହୃଦରୋଗରେ ଚିକିତ୍ସାଧୀନ ଶିଶୁ । ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ଅନୁଭବ କଲା ଶିଶୁଟି । ତେବେ ବିମାନରେ ଯାତ୍ରା କରୁଥିବା ଦୁଇ ଡାକ୍ତର ଶିଶୁଟିକୁ ତୁରନ୍ତ ଚିକିତ୍ସା କରି ତାର ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି । ଗତକାଲି (ଶନିବାର) ରାଞ୍ଚିରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିବା ଇଣ୍ଡିଗୋ ବିମାନରେ ଏପରି ଘଟଣା ସାମ୍ନାକୁ ଆସିଛି । ହେଲେ ଦୁଇ ଡାକ୍ତରଙ୍କ ମଧ୍ୟରେ ଜଣେ ଥିଲେ ଆଇଏଏସ ଅଧିକାରୀ ତଥା ଝାଡଖଣ୍ଡ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଡ. ନିତିନ କୁଲକର୍ଣ୍ଣି ।
ମିଳିଥିବା ସୂଚନା ଅନୁସାରେ, ଏହି ନବଜାତ ଶିଶୁଟି ପୂର୍ବରୁ ହୃଦରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ରହିଛି । ଶିଶୁଟିର ପିତାମାତା ତାକୁ ଦିଲ୍ଲୀ ଏମ୍ସକୁ ଚିକିତ୍ସା ପାଇଁ ନେଉଥିଲେ । ତେବେ ଗତକାଲି ସେମାନେ ଦିଲ୍ଲୀ ଅଭିମୁଖେ ବିମାନରେ ବାହାରିଥିଲେ । ବିମାନ ଉଡାଣ ଭରିବାର ମାତ୍ର କିଛି ସମୟ ମଧ୍ୟରେ ଶିଶୁଟି ଶ୍ବାସକ୍ରିୟା କରିବାରେ ସମସ୍ୟା ଅନୁଭବ କରିଥିଲା । ପିତାମାତା ବିମାନ କ୍ର୍ୟୁ ସଦସ୍ୟଙ୍କୁ ଅବଗତ କରିବା ସହ ସାହାଯ୍ୟ ମାଗିଥିଲେ । ବିମାନ କର୍ମଚାରୀ ବିମାନରେ କେହି ଡାକ୍ତର ଯାତ୍ରା କରୁଛନ୍ତି କି ଓ ଜରୁରୀ ମେଡିକାଲ ସହାୟତାର ଆବଶ୍ୟକତା ଥିବା ଘୋଷଣା କରିଥିଲେ ।
ତେବେ ବିମାନରେ ଥିଲେ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ତଥା ଝାଡଖଣ୍ଡ ରାଜ୍ୟପାଳଙ୍କ ପ୍ରିନ୍ସିପାଲ ସଚିବ ଭାବେ କାର୍ଯ୍ୟରତ ଥିବା ଡ. ନିତିନ କୁଲକର୍ଣ୍ଣି । ସେ ସିଭିଲ ସେବାରେ ଯୋଗଦେବା ପୂର୍ବରୁ ଡାକ୍ତର ଥିଲେ । ସେହିପରି ରାଞ୍ଚି ସଦର ହସ୍ପିଟାଲର ବୃତ୍ତିଗତ ଡାକ୍ତର ମୋଜାମିଲ ଫିରୋଜ ମଧ୍ୟ ଉକ୍ତ ବିମାନରେ ଯାତ୍ରା କରୁଥିଲେ । ଉଭୟ ଘୋଷଣା ଶୁଣି ଅସୁସ୍ଥ ଶିଶୁଟିର ପିତାମାତା ବସିଥିବା ସିଟ୍ ନିକଟରେ ପହଞ୍ଚି ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ ।