ହାଇଦ୍ରାବାଦ:ଜନ୍ମଦିନ ପାଳନରେ ଫାଏରିଂ ସଉକ ଜଣେ ନାବାଳିକାର ଜୀବନ ନେଇଗଲା । ବିହାର ନାଳନ୍ଦାର ଦୀପନଗର ଥାନା କ୍ଷେତ୍ର ଅଧୀନ ଗଂଜପର ଗ୍ରାମରେ ଏପରି ଅଭାବନୀୟ ଘଟଣା ଘଟିଛି (girl killed in firing during birthday party) । ଗୁଳି ଲାଗିବା ପରେ ନାବାଳିକାକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା । ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ମୃତ ନାବାଳିକା ସ୍ଥାନୀୟ ବାଲେ ଯାଦବଙ୍କ 12 ବର୍ଷୀୟା ନାବାଳିକା କନ୍ୟା ଟୁସି କୁମାରୀ ବୋଲି ଜଣାପଡିଛି ।
ମୃତକଙ୍କ ସମ୍ପର୍କୀୟଙ୍କ ସୂଚନା ଅନୁସାରେ ଗ୍ରାମରେ ଏକ ବାର୍ଥ-ଡେ ପାର୍ଟି ସେଲିବ୍ରେସନ ଜାରି ରହିଥିଲା । ନାଚଗୀତ ଚାଲିଥିବା ଯୋଗୁ ନାବାଳିକାଟି ଦେଖିବାକୁ ସେଠାରେ ପହଞ୍ଚିଥିଲା । ସେଠାରେ କିଛି ଯୁବକ ବନ୍ଧୁକ ବାହାର କରି ଗୁଳି ଫୁଟାଇବା ଆରମ୍ଭ କଲେ । ହଠାତ ଏକ ଗୁଳି ନାବାଳିକା ଦେହରେ ବାଜିଥିଲା । ତାକୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ବଞ୍ଚାଯାଇ ପାରିନଥିଲା । ତେବେ ଅଘଟଣ ପରେ ମସସ୍ତ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।