ହାଇଦ୍ରାବାଦ:ଉତ୍ତର ପ୍ରଦେଶ ହାପୁଡରେ (Child fell into borewell) ଏକ ପରିତ୍ୟକ୍ତ ତଥା ମୁକୁଳା ବୋରଓ୍ବେଲରେ ଜଣେ 6 ବର୍ଷୀୟ ବଧିର ଶିଶୁ ଖସିପଡିବା ଘଟଣାରେ ସଫଳତାର ସହ ଶେଷ ହୋଇଛି ରେସ୍କ୍ୟୁ ଅପରେସନ । NDRF ଟିମର 5 ଘଣ୍ଟାରୁ ଅଧିକ ସମୟର ଉଦ୍ୟମ ପରେ ଶିଶୁକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଶିଶୁଟି ପ୍ରାୟ 40ଫୁଟ ତଳେ ଫସି ରହିଥିବା ଜଣାପଡିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଅପରେସନ ଆରମ୍ଭ ହୋଇଥିଲା । ସ୍ଥାନୀୟ ପ୍ରଶାସନର ଅଧିକାରୀ, ପୋଲିସ, ରେସ୍କ୍ୟୁ ଟିମ ଅପରେସନ ଆରମ୍ଭ କରିଥିଲେ । ଘଟଣାସ୍ଥଳରେ ଆମ୍ବୁଲାନ୍ସ ସହ ଡାକ୍ତରୀ ଟିମ ମଧ୍ୟ ପ୍ରସ୍ତୁତ ରଖାଯାଇଥିଲା । ପରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଟିମ ମଧ୍ୟ ଉଦ୍ଧାର ଅପରେସନରେ ସାମିଲ ହୋଇଥିଲା ।
ଆଜି ଅପରାହ୍ନରେ ହାପୁଡ ଜିଲ୍ଲା ଦେହାତ କ୍ଷେତ୍ର ଅନ୍ତର୍ଗତ ଫୁଲଗଡି ଗ୍ରାମରେ ମୋହସୀନ ନାମକ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ 6ବର୍ଷୀୟ ପୁଅ ମାଉ ଖେଳୁଥିବା ସମୟରେ ବୋରଓ୍ବଲରେ ଖସିପଡିଥିଲା । ଏହି ବୋରଓ୍ବେଲକୁ ପ୍ରାୟ 35ବର୍ଷ ତଳେ ସ୍ଥାନୀୟ ନଗର ପାଳିକା ଦ୍ବାରା ଖୋଳାଯାଇଥିଲା । ପ୍ରାୟ 10ବର୍ଷ ହେବ ଏହା ବ୍ୟବହାର ଅନୁପଯୋଗୀ ହୋଇପଡିଥିବାରୁ ପରିତ୍ୟକ୍ତ ତଥା ଢାଙ୍କୁଣୀବିହୀନ ଅବସ୍ଥାରେ ପଡିରହିଥିଲା । ଆଜି ଅପରାହ୍ଣରେ ଶିଶୁଟି ଖେଳୁଥିବା ସମୟରେ ତାହା ମଧ୍ୟକୁ ଖସି ପଡିଥିଲା । ଚିତ୍କାର ଶୁଣି ସ୍ଥାନୀୟ ଲୋକେ ବୋରଓ୍ବେଲ ନିକଟରେ ପହଞ୍ଚି ଅଘଟଣ ସମ୍ପର୍କରେ ଜାଣିବାକୁ ପାଇଥିଲେ ।