ଅମରାବତୀ:ଘୁଷୁରୀକୁ ମାରିବା ପାଇଁ ଦେଶୀ ବନ୍ଧୁକରେ ଗୁଳି ଭର୍ତ୍ତି କରୁଥିଲେ ଜଣେ ଯୁବକ । ହଠାତ ଫାୟାରିଂ ହେବାରୁ ଚାଲିଗଲା ପଡୋଶୀ ଘରର ଶିଶୁକନ୍ୟାର ଜୀବନ । ଏପରି ଏକ ଘଟଣା ଆନ୍ଧ୍ର ପ୍ରଦେଶ ଟୁନି ଅଞ୍ଚଳରେ ଦେଖିବାକୁ ମିଳିଛି । ପ୍ରାଣ ହରାଇଥିବା କନ୍ୟା ସନ୍ତାନର ମୃତଦେହ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଭିଯୁକ୍ତକୁ ମଧ୍ୟ ପୋଲିସ ଗିରଫ କରିବା ସହ ତା’ ନିକଟରୁ ବନ୍ଧୁକ ଓ ଗୁଳି ଜବତ କରିଛି ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଘଟଣାଟି କାକିନାଡା ଜିଲ୍ଲାର ଟୁନି ମଣ୍ଡଳ ଅନ୍ତର୍ଗତ ଏକ ଗ୍ରାମରେ ଘଟିଛି । ସ୍ଥାନୀୟ ବାସିନ୍ଦା ପି.ରାଜୁ ଓ ନାଗମଣି ନାମକ ଦମ୍ପତିଙ୍କର ଦୁଇଟି କନ୍ୟାସନ୍ତାନ । ବଡ ଝିଅ 4 ବର୍ଷୀୟା ଧ୍ୟାନଶ୍ରୀ ଘର ସାମ୍ନାରେ ଖେଳୁଥିଲା । ହଠାତ ସେହି ଟଳିପଡିଥିଲା । କେହି କିଛି ବୁଝି ପାରନିଥିଲେ । ତାଙ୍କୁ ତାର ପିତାମାତା ଉଠାଇବା ପରେ ତା ଦେହରେ ଗୁଳି ବାଜିଥିବା ଜଣାପଡିଥିଲା । ପଡୋଶୀ ଘରର ଜଣେ ଯୁବକ ନିଜର ଏକ ଦେଶୀ ବନ୍ଧୁକରେ ଗୁଳି ଭର୍ତ୍ତି କରୁଥିଲେ । ଏହି ସମୟରେ ବନ୍ଧୁକଟି ତ୍ରୁଟିବଶତଃ ଫାଏର ହୋଇଥିଲା । ଏହି ଗୁଳିଟି ଶିଶୁକନ୍ୟାର ଦେହରେ ବାଜିଥିବା ଜଣାପଡିଥିଲା । ତାକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଅତ୍ୟଧିକ ରକ୍ତସ୍ରାବ ହେତୁ ତାର ମୃତ୍ୟୁ ହୋଇସାରିଥିବା ଡାକ୍ତର ଘୋଷଣା କରିଥିଲେ ।