ଶିମଲା:ଦେଶର ପ୍ରଥମ ଭୋଟର ଶ୍ୟାମ ଶରଣ ନେଗିଙ୍କ ଦେହାନ୍ତ ହୋଇଛି । ତାଙ୍କ ପୈତୃକ ଗ୍ରାମ ହିମାଚଳ ପ୍ରଦେଶର କଳ୍ପା ଅନ୍ତର୍ଗତ କିନ୍ନୌର ଗସ୍ତ କରିଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର । ରାଜୀବ କୁମାର ନେଗିଙ୍କୁ ଶେଷ ସମ୍ମାନ ଜଣାଇବେ । ସେହିପରି ସେ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇବା ସହ ନେଗିଙ୍କ ଶେଷକୃତ୍ୟରେ ମଧ୍ୟ ସାମିଲ ହେବା ନେଇ ସୂଚନା ରହିଛି ।
ଆଜି ପ୍ରାୟ ଭୋର ୩ଟା ସମୟରେ ନେଗି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 105 ବର୍ଷ ହୋଇଥିଲା । ଗତ 2ଦିନ ତଳେ ସେ ଶେଷ ଥର ପାଇଁ ହିମାଚଳ ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଆଗୁଆ ପୋଷ୍ଟାଲ ବାଲାଟ ମାଧ୍ୟମରେ ନିଜ ମତାଧିକାର ସାବ୍ୟସ୍ତ କରିଥିଲେ । ଯାହା ନେଗିଙ୍କ ଶେଷ ତଥା 34ତମ ମତଦାନ ଥିଲା ।
ହିମାଚଳ ପ୍ରଦେଶରେ ଚଳିତ ବିଧାନସଭା ନିର୍ବଚନ ପାଇଁ ନଭେମ୍ବର 12 ରେ ଭୋଟ ଗ୍ରହଣ ହେବାକୁ ଯାଉଛି । ଏଥିପାଇଁ ନେଗି ଗତ 2 ଦିନ ତଳେ ଭୋଟ ମଧ୍ୟ ଦେଇ ସାରିଛନ୍ତି । ତେବେ ଶତାଧିକ ବୟସ ଓ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଦେଶର ଏହି ପ୍ରଥମ ଭୋଟରଙ୍କୁ ପୋଲିଂ ବୁଥ ପରିବର୍ତ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରିଥିଲା ସ୍ଥାନୀୟ ପ୍ରଶାସନ । ପୋଷ୍ଟାଲ ବାଲାଟ ପ୍ରକ୍ରିୟାରେ ନେଗି ନିଜ ମତାଧିକାର ସାବ୍ୟସ୍ତ କରିଥିଲେ । ଏହି ମତାଦାନ ପ୍ରକ୍ରିୟା ବେଳେ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ । ମତାଧିକାର ସାବ୍ୟସ୍ତ ପରେ ସ୍ଥାନୀୟ ଜିଲ୍ଲାଧିକାରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ନେଗିଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
1951 ମସିହା ସାଧାରଣ ନିର୍ବାଚନରେ ଦେଇଥିଲେ ପ୍ରଥମ ଭୋଟ:-
1917 ମସିହାରେ ଜନ୍ମିତ ଶ୍ୟାମ ଶରଣ ନେଗି ଆଜି 105 ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ନେଗି ଥିଲେ ସ୍ବାଧୀନ ଭାରତର ପ୍ରଥମ ମତଦାତା । ସେ ଦେଶରେ ସ୍ବାଧୀନତା ପରବର୍ତ୍ତୀ 1951 ମସିହାରେ ହୋଇଥିବା ପ୍ରଥମ ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ନିଜ ମତାଧିକାର ସାବ୍ୟସ୍ତ କରିଥିଲେ । ପରବର୍ତ୍ତୀ ସମୟରେ ହୋଇଥିବା ସାଧାରଣ ଓ ରାଜ୍ୟ ବିଧାନସଭା ନିର୍ବାଚନ ନିର୍ବାଚନରେ ସେ କ୍ରମାଗତ ମତାଧିକାର ସାବ୍ୟସ୍ତ କରି ଆସିଥିଲେ । ଚଳିତ ବିଧାନସଭା ନିର୍ବାଚନକୁ ମିଶାଇ ସେ ମୋଟ 34 ଥର ନିଜର ମତାଧିକାର ସାବ୍ୟସ୍ତ କରିଥିଲେ ।