ଓଡିଶା

odisha

ETV Bharat / bharat

ନୂଆବର୍ଷରେ ନକ୍ସଲଙ୍କ ସହ ଏନକାଉଣ୍ଟର: ନବଜାତ ଶିଶୁ ମୃତ, ମହିଳା ଓ 2 ଯବାନ ଆହତ - encounter with Naxals

Encounter with Naxals in Chhattisgarh: ନବଜାତ ଶିଶୁ ମୃତ, ମହିଳା ଓ 2 ଯବାନ ଆହତ । ସର୍ଚ୍ଚ ଅପରେସନ ବ୍ୟାପକ । ଅଧିକ ପଢନ୍ତୁ

ନୂଆବର୍ଷରେ ନକ୍ସଙ୍କ ସହ ଏନକାଉଣ୍ଟର: ନବଜାତ ଶିଶୁ ମୃତ, ମହିଳା ଓ 2 ଯବାନ ଆହତ
ନୂଆବର୍ଷରେ ନକ୍ସଙ୍କ ସହ ଏନକାଉଣ୍ଟର: ନବଜାତ ଶିଶୁ ମୃତ, ମହିଳା ଓ 2 ଯବାନ ଆହତ

By ETV Bharat Odisha Team

Published : Jan 1, 2024, 10:42 PM IST

ରାୟପୁର: ବର୍ଷର ପ୍ରଥମ ଦିନରେ ଛତିଶଗଡର ବିଜାପୁରରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଗଙ୍ଗାଲୁର ଅଞ୍ଚଳରେ ସୁରକ୍ଷାବଳ ଓ ନକ୍ସଲମାନଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ 6 ମାସର ନବଜାତ ଶିଶୁକନ୍ୟାର ମୃତ୍ୟୁ ହୋଇଛି । ଶିଶୁର ମା’ ମଧ୍ୟ ଏହି ଏନକାଉଣ୍ଟରରେ ଆହତ ହୋଇଛନ୍ତି । 2 ସୁରକ୍ଷାକର୍ମୀଙ୍କ ଦେହରେ ମଧ୍ୟ ଗୁଳି ବାଜିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସର୍ଚ୍ଚ ଓ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

ସୋମବାର ସନ୍ଧ୍ୟାରେ ଏନକାଉଣ୍ଟର ଆରମ୍ଭ :

ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ଆଜି (ସୋମବାର) ସଂଧ୍ୟାରେ ବିଜାପୁରର ଗାଙ୍ଗାଲୁରର ମୁଟାଭାଣ୍ଡି ଗ୍ରାମରେ ନିକଟବର୍ତ୍ତୀ ଜଙ୍ଗଲରେ ସୁରକ୍ଷାକର୍ମୀ କମ୍ବିଂ ଅପରେସନ କରିବା ସମୟରେ ନକ୍ସଲ ଗତିବିଧି ସାମ୍ନାକୁ ଆସିଥିଲା । ଉଭୟ ପକ୍ଷରୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଏଥିରେ ସେହି ଗ୍ରାମର ଜଣେ ମହିଳା ଓ ତାଙ୍କ 6 ମାସର ଶିଶୁକନ୍ୟା ଦେହରେ ଗୁଳି ବାଜିଥିଲା । ଘଟଣାସ୍ଥଳରେ ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ବେଳେ ମହିଳାଙ୍କୁ ଆହତ ଅବସ୍ଥାରେ ସୁରକ୍ଷାକର୍ମୀ ଉଦ୍ଧାର କରିଛନ୍ତି । ମହିଳା ଜଣକ ଏବେ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେହିପରି କମ୍ବିଂ ଅପରେସନରେ ସାମିଲ ଥିବା ଦୁଇ ଡିଆରଜି ଯବାନ ମଧ୍ୟ ଏନକାଉଣ୍ଟରରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଦୁଇ DRG ଯବାନ ଆହତ :

ଏନକାଉଣ୍ଟରରେ ସାମିଲ ଥିବା 2 ଜଣ DRG ଯବାନ ଆହତ ହୋଇଛନ୍ତି । ଆହତ ଯବାନ ଦୁହେଁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳକୁ ଅଧିକ ଫୋର୍ସ ପଠାଯାଇଛି । ସେହି ଅଞ୍ଚଳ ଓ ନିକଟବର୍ତ୍ତୀ ଜଙ୍ଗଲରେ ସର୍ଚ୍ଚ ଅପରେସନ ଏବେ ବି ଚାଲିଛି । ଏହି ଏନକାଉଣ୍ଟରରେ ଭରାମଗଡ ଜୋନାଲ କମିଟିର ନକ୍ସଲ ନେତା ଚନ୍ଦ୍ରନ୍ନା ଓ ତାର ବହୁ ସହଯୋଗୀ ଆହତ ହୋଇଥିବା ସୁରକ୍ଷା ବାହିନୀ ସନ୍ଦେହ କରୁଛି । କିନ୍ତୁ କେତେ ସଂଖ୍ୟକ ନକ୍ସଲ ମୃତାହତ ହୋଇଛନ୍ତି, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି ।

ଏହା ମଧ୍ୟ ପଢନ୍ତୁ :- ଇସ୍ତଫା ଦେବେ ହେମନ୍ତ ସୋରେନ, ସ୍ତ୍ରୀ କଳ୍ପନା ହେବେ ମୁଖ୍ୟମନ୍ତ୍ରୀ !

ନକ୍ସଲମାନେ ଜଙ୍ଗଲ ମଧ୍ୟକୁ ଛତ୍ରଭଙ୍ଗ ଦେଇଛନ୍ତି । ସର୍ଚ୍ଚ ଅପରେସନ ଜାରି ରହିଛି । ଆସନ୍ତାକାଲି ପୂର୍ବାହ୍ନ ମଧ୍ୟରେ ମୃତାହତ ନକ୍ସଲଙ୍କ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରେ । ଦେଶର ବିଭିନ୍ନ ରାଜ୍ୟରେ ନକ୍ସଲ ସମସ୍ୟା ପ୍ରାୟତଃ ହ୍ରାସ ପାଇଥିଲେ ସୁଦ୍ଧା ଛତିଶଗଡରେ ଏବେବି ଲାଲବାହିନୀ ତାର ଅସ୍ଥିତ୍ବ ଜାହିର କରିବାରେ ଲାଗିଛି । ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ସମୟରେ ନକ୍ସଲମାନେ ଏକାଧିକ ହିଂସା ଘଟଇବା ସହ 4 ଜଣ ସ୍ଥାନୀୟ ବାସିନ୍ଦାଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଥିଲେ । ଭୋଟ ବର୍ଜନ କରିବା ପାଇଁ ମଧ୍ୟ ପୋଷ୍ଟର ମାରି ଧମକ ଦେଇଥିଲେ । କଡା ସୁରକ୍ଷା ବଳୟ ମଧ୍ୟରେ ନିର୍ବାଚନ ଶେଷ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details