ରାୟପୁର:ବଦଳିଲାଣି ଛତିଶଗଡ ରାଜନୀତି ସମୀକରଣ । ବିଜେପି ସପକ୍ଷରେ ବହିଲାଣି ନିର୍ବାଚନୀ ହାୱା । ଛତିଶଗଡରେ ଏଥର ମଧ୍ୟ କଂଗ୍ରେସ ସରକାର ଗଢିବ ବୋଲି ଯେଉଁ ଏକଜିଟ୍ ପୋଲ ଆକଳନ ଆସିଥିଲା, ତାହା ଧୀରେ ଧୀରେ ଭୁଲ୍ ସାବ୍ୟସ୍ତ ହେଲାଣି । ସଦ୍ୟତମ ଟ୍ରେଣ୍ଡ ଅନୁସାରେ ବିଜେପି ଆଗକୁ ମାଡି ଚାଲିଛି । ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ସରକାରକୁ ପଛରେ ପକାଇ ଧୀରେ ଧୀରେ ଆଗକୁ ବଢୁଛି ଭାରତୀୟ ଜନତା ପାର୍ଟି । ଯଦିଓ ଦୁଇ ଦଳ ମଧ୍ୟରେ କଡା ଟକ୍କର ହେଉଛି, ହେଲେ ପ୍ରାରମ୍ଭରୁ ଏପର୍ଯ୍ୟନ୍ତ ବିଜେପି ହିଁ ଅଧିକ ଆସନରେ ଲିଡ୍ କରୁଛି । ଖବର ଲେଖା ହେବା ସୁଦ୍ଧା ବିଜେପି ୫୩ ଆସନରେ ଲିଡ୍ କରୁିଇବା ବେଳେ କଂଗ୍ରେସ ମାତ୍ର ୩୬ଟି ଆସନରେ ଆଗୁଆ ରହିଛି । ତେଣୁ ଏଥର କଂଗ୍ରେସ ହାତ ମୁଠାରୁ ଛତିଶଗଡ ଖସିଗଲା ଭଳି ମନେ ହେଉଛି ।
ରୋଚକ ହେଉଛି ଦାଦା-ପୁତୁରା ଲଢେଇ:କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାଜ୍ୟର ୯୦ଟି ଆସନରେ ଭୋଟ୍ ଗଣତି ଜାରି ରହିଛି । ରାଜ୍ୟ ଗୃହମନ୍ତ୍ରୀ ତାମ୍ରଧ୍ବଜ ସାହୁ ଓ ମନ୍ତ୍ରୀ ମହମ୍ମଦ ଆକବରଙ୍କ ଭଳି ବଡ ବଡ ନେତା ବିଜେପିଠୁ ପଛରେ ପଡିଛନ୍ତି । ଏପରି ସ୍ଥଳେ ପାଟନ ଆସନରେ ଦାଦା ପୁତୁରା ଲଢେଇ ରୋଚକ ମୋଡରେ ଅଛି । ଏହି ଆସନରୁ ମୁଖ୍ୟମନ୍ତ୍ରୀ ବଘେଲ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ତାଙ୍କୁ ଚେକ୍ ଦେବାକୁ ପୁତୁରା ତଥା ଦୁର୍ଗ ସାଂସଦ ବିଜୟ ବଘେଲଙ୍କୁ ଟିକେଟ ଦେଇଛି ବିଜେପି । ଫଳରେ ଦାଦା ଓ ପୁତୁରାଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି । କେତେବେଳେ ପୁତୁରା ଦାଦାଙ୍କ ଠାରୁ ଆଗୁଆ ରହୁଛନ୍ତି ତ ଆଉ କେତେବେଳେ ପୁତୁରାଙ୍କୁ ପଛରେ ପକାଉଛନ୍ତି ବଘେଲ । ତେବେ ସଦ୍ୟତମ ଟ୍ରେଣ୍ଡ ଅନୁସାରେ ଏବେ ମୁଖ୍ୟମନ୍ତ୍ରୀ ବଘେଲ ଲିଡ୍ କରୁଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଯାଦୁଗରଙ୍କ ଯାଦୁରୁ ମୁକ୍ତି ପାଇଲେ ରାଜସ୍ଥାନ ଜନତା: ଗଜେନ୍ଦ୍ର ସିଂ