ରାୟପୁର:ବିଧାନସଭା ନିର୍ବାଚନ ପର୍ବରୁ ଛତିଶଗଡରେ ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ଘଟାଇବାରେ ଲାଗିଛି ଲାଲବାହିନୀ । ଆଜି ଜଣେ ସ୍ଥାନୀୟ ବିଜେପି ନେତାଙ୍କୁ ନକ୍ସଲମାନେ ହତ୍ୟା କରିଛନ୍ତି । ନକ୍ସଲଙ୍କ ହତ୍ୟାର ଶିକାର ହୋଇଥିବା ବିଜେପି ନେତା ନାରାୟଣପୁର ଜିଲ୍ଲା ବିଜେପି ଉପସଭାପତି ରତନ ଦୁବେ । ସେ ନିର୍ବାଚନ କ୍ୟାମ୍ପନିଂ କରିବା ସମୟରେ ନକ୍ସଲମାନେ ତାଙ୍କୁ ଅପହରଣ କରିନେଇଥିଲେ । ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସୂତ୍ରରୁ ଜଣାପଡିଛି ।
ସ୍ଥାନୀୟ ପୋଲିସ ସୂଚନା ଅନୁସାରେ, ବିଜେପିର ଏହି କାର୍ଯ୍ୟକର୍ତ୍ତା ରତନ ଦୁବେ ନିର୍ବାଚନୀ ପ୍ରଚାର କରୁଥିଲେ । ଆଜି ଜିଲ୍ଲାର କୌଶଲକର ଏରିଆରେ ନକ୍ସଲମାନେ ତାଙ୍କୁ ହତ୍ୟା କରିଛନ୍ତି । ପୋଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ନିର୍ବାଚନ ଦାୟିତ୍ବରେ ଥିବା କେନ୍ଦ୍ରୀୟ ସୁରକ୍ଷାବଳର ମୁତୟନ ମଧ୍ୟ ଉକ୍ତ ସ୍ଥାନରେ ବୃଦ୍ଧି କରାଯାଇଛି । ଆଉ ମାତ୍ର 3 ଦିନ ପରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟର ଭୋଟିଂ ହେବାକୁ ଯାଉଥିବା ବେଳେ ନକ୍ସଲମାନେ ନିର୍ବାଚନକୁ ବିରୋଧ କରିବା ସହ ସେମାନଙ୍କ ଉପସ୍ଥିତି ଜାହିର କରିବାରେ ଲାଗିଛନ୍ତି । ଏହା ପୂର୍ବରୁ ଗୁରୁବାର କାଙ୍କେର ଓ ବିଜାପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବସ୍ତର ନିର୍ବାଚନୀ କାର୍ଯ୍ୟକ୍ରମ ପୂର୍ବରୁ ନକ୍ସଲମାନେ 4 ସ୍ଥାନୀୟ ବାସିନ୍ଦାଙ୍କୁ ହତ୍ୟା କରିଥିଲେ । ସମସ୍ତଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରାଯାଇଥିବା ଜଣାପଡିଥିଲା ।