ରାୟପୁର: ଛତିଶଗଡ଼ରେ ଆସନ୍ତାକାଲି(ଶୁକ୍ରବାର) ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ ଗ୍ରହଣ । ନଭେମ୍ବର ୭ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନରେ ଭୋଟ୍ ନିଆଯାଇଥିବା ବେଳେ, ନଭେମ୍ବର ୧୭(ଶୁକ୍ରବାର) ବାକି ୭୦ଟି ଆସନରେ ମତଦାନ ହେବ । ଦ୍ବିତୀୟ ପର୍ଯ୍ୟାୟରେ ମୈଦାନରେ ଅଛନ୍ତି ଏକାଧିକ ଦିଗ୍ଗଜ ରାଜନେତା । ଆସନ୍ତୁ ଜାଣିବା କେଉଁ କେଉଁ ଜିଲ୍ଲା ଏବଂ କେଉଁ ସବୁ ଆସନରେ ଦ୍ବିତୀୟ ପର୍ଯ୍ୟାୟରେ ପଡ଼ିବ ଭୋଟ୍ ।
ଛତିଶଗଡ଼ରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ନଭେମ୍ବର 17ରେ ଅନୁଷ୍ଠିତ ହେଉଛି । ଯେଉଁଥିରେ 70ଟି ଆସନ ପାଇଁ ଭୋଟିଂ ହେବ । ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ରାଜନୈତିକ ଦଳଗୁଡ଼ିକ ନିଜର ସମସ୍ତ ଶକ୍ତି ଖଟାଇ ଦେଇଛନ୍ତି । ଦ୍ବିତୀୟ ତଥା ଶେଷ ପର୍ଯ୍ୟାୟ ଭୋଟରେ 22ଟି ଜିଲ୍ଲାର 70ଟି ବିଧାନସଭା ଆସନରେ ହେବ । ଏହି ପର୍ଯ୍ୟାୟରେ 1 କୋଟି 63 ଲକ୍ଷ 14 ହଜାର 479 ଭୋଟର ନିଜ ନିଜର ମତ ସାବ୍ୟସ୍ତ କରିବେ । ଏଥିରେ ଅଛନ୍ତି 81 ଲକ୍ଷ 41 ହଜାର 624 ଜଣ ପୁରୁଷ ଭୋଟର ଏବଂ 81 ଲକ୍ଷ 72 ହଜାର 171 ଜଣ ମହିଳା ଭୋଟର । ସେହିପରି 684 ଜଣ ତୃତୀୟ ଲିଙ୍ଗ ଭୋଟର ମଧ୍ୟ ରହିଛନ୍ତି | 70ଟି ବିଧାନସଭା ଆସନ ମଧ୍ୟରୁ ୪୪ଟି ସାଧାରଣ ବର୍ଗଙ୍କ ପାଇଁ ଥିବା ବେଳେ, 17ଟି ଅନୁସୂଚିତ ଜନଜାତି ଏବଂ 9ଟି ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ରହିଛି ।
ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ 51ଟି ଦଳର 958 ଜଣ ପ୍ରାର୍ଥୀ 70ଟି ବିଧାନସଭା ଆସନରେ ଲଢୁଛନ୍ତି । ସେଥିମଧ୍ୟରୁ 130 ଜଣ ମହିଳା ପ୍ରାର୍ଥୀ, 827 ଜଣ ପୁରୁଷ ପ୍ରାର୍ଥୀ ଏବଂ ଜଣେ ତୃତୀୟ ଲିଙ୍ଗ ପ୍ରାର୍ଥୀ ଅଛନ୍ତି । ସର୍ବାଧିକ ପ୍ରାର୍ଥୀ ରାୟପୁର ଜିଲ୍ଲାରେ ଅଛନ୍ତି, ଯେଉଁଠାରୁ 122 ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନରେ ଅଛନ୍ତି । ରାୟପୁର ପଶ୍ଚିମ ବିଧାନସଭା ଆସନରେ ସର୍ବାଧିକ 26 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ, ଡୋଣ୍ଡିଲୋହାରା ବିଧାନସଭା ଆସନରେ 4 ଜଣ ପ୍ରାର୍ଥୀ ଅଛନ୍ତି । ପ୍ରତାପପୁର ବିଧାନସଭା ଆସନରେ ସର୍ବାଧିକ 7 ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ସୁରଗୁଜା ଡିଭିଜନର ପାଥାଲଗାଓଁ ବିଧାନସଭା ଆସନରେ ବୟସ୍କ ପ୍ରାର୍ଥୀ ରାମପୁକାର ସିଂହ ଲଢ଼ୁଛନ୍ତି, ଯାହାଙ୍କ ବୟସ 85 ବର୍ଷ । ଦ୍ବିତୀୟ ପର୍ଯ୍ୟାୟ ଭୋଟରେ 24 ଜଣ ମୁସଲିମ୍ ପ୍ରାର୍ଥୀ ଥିବା ବେଳେ, ଏଥିରୁ 4 ଜଣ ହେଉଛନ୍ତି ମହିଳା ପ୍ରାର୍ଥୀ ।
ଏହା ମଧ୍ୟ ପଢ଼ନ୍ତୁ: Chhattisgarh Election: ପ୍ରଥମ ପର୍ଯ୍ୟାୟ ପାଇଁ ସରିଲା ପ୍ରଚାର, ମଙ୍ଗଳବାର 20 ଆସନରେ ମତଦାନ