ଓଡିଶା

odisha

କଂଗ୍ରେସ ହାତରୁ ଛତିଶଗଡ଼ ଛଡାଇ ଆଣିଲା ବିଜେପି; ୫୩ ସିଟ୍ ସହ ବଡ ବିଜୟ

By ETV Bharat Odisha Team

Published : Dec 3, 2023, 5:39 PM IST

ଭୁଲ ପ୍ରମାଣିତ ହେଲା ଏକଜିଟ ପୋଲ । ମଧ୍ୟପ୍ରଦେଶ ଓ ରାଜସ୍ଥାନ ପରେ ୫୩ ସିଟ୍ ସହ ଛତିଶଗଡରେ ବିଜୟର ବାନା ଉଡାଇଲା ବିଜେପି । ଅଧିକ ପଢନ୍ତୁ

ଛତିଶଗଡରେ ବିଜେପିର ବିଜୟ
ଛତିଶଗଡରେ ବିଜେପିର ବିଜୟ

ରାୟପୁର: ଛତିଶଗଡରେ କଂଗ୍ରେସକୁ ଶକ୍ତ ଝଟକା । ଫେଲ୍ ମାରିଲା ବାଘେଲଙ୍କ ରଣନୀତି । ଭୁଲ ପ୍ରମାଣିତ ହେଲା ଏକଜିଟ ପୋଲ । ବିପୁଳ ବିଜୟ ସହିତ ଶାସକ ଦଳ କଂଗ୍ରେସକୁ ଗାଦିଚ୍ୟୁତ କଲା ବିଜେପି । ୫ ବର୍ଷ ପରେ ପୁଣି ରାଜ୍ୟରେ ଫୁଟିଲା ପଦ୍ମ । ଛତିଶଗଡରେ ସରକାର ଗଠନ କରିବାକୁ ବିଜେପି ପାଇଁ ପଥ ପରିଷ୍କାର ହୋଇଛି । କଂଗ୍ରେସ ହାତରୁ ଖସିଯାଇଛି ଏହି ରାଜ୍ୟ । ଚଳିତ ବିଧାନସଭା ନିର୍ବାଚନରେ ରାଜସ୍ଥାନ, ମଧ୍ୟପ୍ରଦେଶ ସହିତ ଭାରତୀୟ ଜନତା ପାର୍ଟି ଅପ୍ରତ୍ୟାଶିତ ଭାବେ ଛତିଶଗଡ଼ରେ ମଧ୍ୟ ବିଜୟର ବାନା ଉଡାଇଛି । କଂଗ୍ରେସ ଛତିଶଗଡରେ ପୁନର୍ବାର କ୍ଷମତା ଦଖଲ କରିବା ନେଇ ତମାମ୍ ଆକଳନ ଭିତରେ ବାଜି ମାରି ନେଇଛି ବିଜେପି । ଭୂପେଶ ସରାକରର ଉପମୁଖ୍ୟମନ୍ତ୍ରୀ ଟି ଏସ୍ ସିଂହଦେଓ, ଗୃହମନ୍ତ୍ରୀ ତାମ୍ରଧ୍ବଜ ସାହୁ, ମନ୍ତ୍ରୀ ମହମ୍ମଦ ଅକବର, ଜୟ ସିଂହ ଅଗ୍ରୱାଲଙ୍କ ଭଳି ବଡ ବଡ ନେତା ମନ୍ତ୍ରୀ ନିର୍ବାଚନରେ ମାତ୍ ଖାଇଛନ୍ତି । ଜାଣନ୍ତୁ କେଉଁଠୁ କିଏ ଜିତିଲା

ପାଟନ:ଦୁର୍ଗ ଜିଲ୍ଲାର ପାଟନ ଆସନରେ ୧୯ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ୧୯୯୩ ମସିହାରୁ ବଘେଲ ଏହି ଆସନରେ ଲଗାତାର ଜିତି ଆସୁଛନ୍ତି । ୨୦୦୮ରେ ମଧ୍ୟ ଏଠାରେ ଭୂପେଶ ବାଘେଲ ଓ ତାଙ୍କ ପୁତୁରା ବିଜୟ ବାଘେଲଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା । ଚଳିତ ନିର୍ବାଚନରେ ପୁଣିଥରେ ଏହି ଦାଦା ପୁତୁରାଙ୍କ ମଧ୍ୟରେ ଟକ୍କର ଚାଲିଥିଲା । ତେବେ ଗତ ନିର୍ବାଚନ ଭଳି ଏଥର ମଧ୍ୟ ଦାଦା ଠାରୁ ପୁତୁରା ମାତ୍ ଖାଇଛି । କହିରଖୁଛୁ କି, ବିଜୟ ବାଘେଲ ବର୍ତ୍ତମାନ ଦୁର୍ଗ ଲୋକସଭା ସାଂସଦ ଅଛନ୍ତି ।

ରାଜନନ୍ଦଗାଓଁ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ଉପସଭାପତି ରମଣ ସିଂହ ପୁନର୍ବାର ରାଜନନ୍ଦଗାଓଁ ସିଟ୍ କବଜା କରିଛନ୍ତି । ତିନି ଥରର ମୁଖ୍ୟମନ୍ତ୍ରୀ ଥିବା ରମଣ ୨୦୦୮ରୁ କ୍ରମାଗତ ଭାବେ ଏହି ଆସନ ଜିତି ଆସୁଛନ୍ତି । ରାଜନନ୍ଦଗାଓଁ ତାଙ୍କର ଗଡ ଭାବେ ପରିଚିତ ଥିବାବେଳେ ଚଳିତ ନିର୍ବାଚନରେ ମଧ୍ୟ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ଗିରିଶ ଦେବାଙ୍ଗନଙ୍କୁ ୪୫ ହଜାରରୁ ଅଧିକ ଭୋଟରେ ପରାସ୍ତ କରି ନିଜର ଗଡ ବଞ୍ଚାଇ ରଖିଛନ୍ତି । ତେବେ ଛତିଶଗଡ ବିଜୟ ପରେ କିଏ ହେବ ମୁଖ୍ୟମନ୍ତ୍ରୀ ସେନେଇ ବିଜେପି କିଛି ସ୍ପଷ୍ଟ କରିନଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।

ଲୋରମି: ଛତିଶଗଡ ବିଜେପି ରାଜ୍ୟ ସଭାପତି ଅରୁଣ ସାଓ ଲୋରମି ଆସନରୁ ବିଜୟୀ ହୋଇଛନ୍ତି ।

ଅମ୍ବିକାପୁର:ଆଦିବାସୀ ବହୁଳ ଅମ୍ବିକାପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ତଥା ଉପମୁଖ୍ୟମନ୍ତ୍ରୀ ଟିଏସ ସିଂହଦେଓଙ୍କ ଦଖଲରେ ଥିଲା । ୨୦୦୮ରେ ସେ ଅମ୍ବିକାପୁରରୁ ପ୍ରଥମ ଥର ବିଧାୟକ ନିର୍ବାଚିତ ହୋଇଥିଲେ । କିନ୍ତୁ ଏଥର ନିର୍ବାଚନରେ ବିଜେପି ପ୍ରତିଦ୍ବନ୍ଦୀ ରାଜେଶ ଅଗ୍ରୱାଲଙ୍କ ଠାରୁ ହାରିଯାଇଛନ୍ତି ।

କୋଣ୍ଟା: ନକ୍ସଲ ପ୍ରଭାବିତ ସୁକମା ଜିଲ୍ଲାରେ ରହିଛି କୋଣ୍ଟା ନିର୍ବାଚନ ମଣ୍ଡଳୀ । ଚଳିତ ନିର୍ବାଚନରେ ରାଜ୍ୟ ଶିଳ୍ପ ଓ ଅବକାରୀ ମନ୍ତ୍ରୀ ତଥା କୱାସି ଲଖମା ଏଠାରୁ ପ୍ରତିଦ୍ବନ୍ଦିତା କରିଥିଲେ । ଏହି ଆସନରେ ପ୍ରାୟତଃ କଂଗ୍ରେସ, ବିଜେପି ଓ ସିପିଆଇ ମଧ୍ୟରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳେ । ଲଖମା ୧୯୯୮ ମସିହାରୁ କୋଣ୍ଟାରୁ ୫ ଥର ବିଧାୟକ ନିର୍ବାଚନ ହୋଇଥିବା ବେଳେ ଏଥର ସିପିଆଇ ନେତା ମନିଷ କୁଞ୍ଜମଙ୍କ ଠାରୁ ପରାଜିତ ହୋଇଛନ୍ତି ।

କୋରବା: କୋରବା ଆସନରେ ଛତିଶଗଡ ରାଜସ୍ବ ମନ୍ତ୍ରୀ ଜୟ ସିଂହ ଅଗ୍ରୱାଲ ବିଜେପିର ଲଖନଲାଲ ଦେବାଙ୍ଗନଙ୍କ ଠାରୁ ପରାଜିତ ହୋଇଛନ୍ତି ।

କୱରଧା: କବିରଧାମ ଜିଲ୍ଲାର କୱରଧା ଆସନରେ ପ୍ରତିଦ୍ବନ୍ଦିତା କରୁଥିବା ରାଜ୍ୟ ମନ୍ତ୍ରୀ ମହମ୍ମଦ ଆକବର ପରାଜିତ ହୋଇଛନ୍ତି । ସେ ଚାରିଥରର ବିଧାୟକ ଥିବାବେଳେ ପ୍ରଥମ ଥର ୨୦୧୮ ନିର୍ବାଚନରେ ଏଠାରୁ ନିର୍ବାଚନ ଲଢିଥିଲେ ଏବଂ ବିଜେପି ପ୍ରାର୍ଥୀ ଅଶୋକ ସାହୁଙ୍କ ବିପକ୍ଷରେ ୫୯ ହଜାରରୁ ଅଧିକ ଭୋଟ ସହ ବିଜୟୀ ହୋଇଥିଲେ । ହେଲେ ଏଥର ବିଜେପିର ବିଜୟ ଶର୍ମାଙ୍କ ଠାରୁ ସେ ପରାଜିତ ହୋଇଛନ୍ତି ।

ସୀତାପୁର: ଛତିଶଗଡ କ୍ୟାବିନେଟ ମନ୍ତ୍ରୀ ଅମରଜିତ ଭଗତଙ୍କ ହାତରୁ ଚାଲିଛି ଯାଇ ସୀତାପୁର ଆସନ । ବିଜେପି ପ୍ରାର୍ଥୀ ପୂର୍ବ ସୈନିକ ରାମକୁମାର ଟୋପ୍ପୋଙ୍କ ଠାରୁ ସେ ପରାଜିତ ହୋଇଛନ୍ତି ।

ଅରାଙ୍ଗ: ଚଳିତ ନିର୍ବାଚନରେ ଛତିଶଗଡର ଶ୍ରମ ମନ୍ତ୍ରୀ ଶିବକୁମାର ମଧ୍ୟ ପରାଜିତ ହୋଇଛନ୍ତି । ସେ ରାଜପୁର ଜିଲ୍ଲାର ସେମି ଅର୍ବାନ ନିର୍ବାଚନ ମଣ୍ଡଳୀ ଅରାଙ୍ଗରୁ ନିର୍ବାଚନ ଲଢିଥିବା ବେଳେ ବିଜେପିର ଗୁରୁ ଖୁଶୱନ୍ତ ସାହେବଙ୍କ ଠାରୁ ପରାସ୍ତ ହୋଇଛନ୍ତି ।

ସାଜା: ଛତିଶଗଡ ମନ୍ତ୍ରୀ ରବୀନ୍ଦ୍ର ଚୌବେ ସାଜା ଆସନରୁ ପରାଜିତ ହୋଇଛନ୍ତି । ବିଜେପି ପ୍ରାର୍ଥୀ ଇଶ୍ବର ସାହୁଙ୍କ ଠାରୁ ମାତ୍ ଖାଇଛନ୍ତି ଚୌବେ ।

କୋଣ୍ଡାଗାଓଁ: କୋଣ୍ଡାଗାଓଁ ଆସନରେ ବିଜେପି ପ୍ରାର୍ଥୀ ଲତା ଉସେଣ୍ଡିଙ୍କ ଠାରୁ ପରାଜିତ ହୋଇଛନ୍ତି ମନ୍ତ୍ରୀ ମୋହନ ମରକମ ।

ABOUT THE AUTHOR

...view details