ଚେନ୍ନାଇ:ବଙ୍ଗୋପସାଗରେ ସୃଷ୍ଟ ବାତ୍ୟା ‘ମିଗଜୋମ’(Michaung) ପ୍ରଭାବରେ ତାମିଲନାଡୁର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ରାଜଧାନୀ ଚେନ୍ନାଇରେ ପ୍ରବଳ ବର୍ଷାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ସହରର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ଯା ସହ ଯୋଗାଯୋଗ ଓ ଯାତାୟତ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦରର ରନ-ଓ୍ବେ ଓ ପାର୍କିଂ ଏରିଆରେ ବର୍ଷାପାଣି ଜମି ରହିଥିବାରୁ ଫ୍ଲାଇଟ ଅପରେସନ ବନ୍ଦ ରଖାଯାଇଛି । କିଛି ସ୍ଥାନରେ ରେଳ ଧାରଣା ବୁଡିଯିବା ଫଳରେ ରେଳସେବା ମଧ୍ୟ ପ୍ରଭାବିତ ହୋଇଛି । ସହରର ବିଭିନ୍ନ ସ୍ଥାନରେ ଆପାର୍ଟମେଣ୍ଟର ଗ୍ରାଉଣ୍ଡଫ୍ଲୋରରେ ପାଣି ପଶିଛି । ତଳିଆ ସ୍ଥାନରୁ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି ।
ରାଜ୍ୟରେ ବାତ୍ୟାର ପ୍ରଭାବ ସେତେମାତ୍ରାରେ ପଡିବାକୁ ନଥିବା ବେଳେ ପ୍ରବଳ ବର୍ଷା ପାଇଁ ଆଲର୍ଟ ଜାରି କରାଯାଇଛି । ଚେନ୍ନାଇ ସହରରେ ସମସ୍ତ ଶିକ୍ଷାନୁଷ୍ଠାନ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ ରଖାଯାଇଛି । ସମସ୍ତ ଜରୁରୀ ବିଭାଗକୁ ଆଲର୍ଟ ରଖାଯାଇଛି । ଉଦ୍ଧାରକାରୀ ଟିମ ମଧ୍ୟ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ସହ ନିୟୋଜିତ ରହିବା ସହ ଉଦ୍ଧାର ପ୍ରକ୍ରିୟା ଜାରି ରଖିଛନ୍ତି । ସ୍ଥିତିକୁ ଦେଖି ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବା ନେଇ ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି । ଏପର୍ଯ୍ୟନ୍ତ କେହି ମୃତାହତ ହୋଇଥିବା ନେଇ କିଛି ସୂଚନା ନାହିଁ ।
ସ୍ଥଳଭାଗ ନିକଟତର ହେଉଥିବା ବାତ୍ୟା 'ମିଗଜୋମ (Michaung)' ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳର ନେଲୋର ଓ ମଚ୍ଛଲିପଟନମ ମଧ୍ୟରେ ଆସନ୍ତାକାଲି (ଡିସେମ୍ବର 5) ତାରିଖରେ ପୂର୍ବାହ୍ନରେ ସ୍ଥଳଭାଗ ଅତିକ୍ରମ କରିବାର ପୂର୍ବାକାଳନ କରାଯାଇଛି । ଆଜି ପୂର୍ବାହ୍ନରେ ଏହା ଭୀଷଣ ବାତ୍ୟାର ରୂପ ନେଇସାରିଛି । ଏହାର ପ୍ରଭାବରେ ଓଡିଶାରେ କିଛି ସ୍ଥାନରେ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି । ଆନ୍ଧ୍ର ଓ ତାମିଲନାଡୁର ଏକାଧିକ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି ।