ହାଇଦ୍ରାବାଦ: ବୁଲିବା କାହାକୁ ବା ପସନ୍ଦ ନୁହେଁ । ଜୀବନଜଞ୍ଜାଳରୁ ଟିକେ ସମୟ ପାଇଲେ ମଣିଷ ପରିବାର ସହ ବାହାରେ ସମୟ ଅତିବାହିତ କରିବାକୁ ଚାହେଁ । ସୁନ୍ଦର ସୁନ୍ଦର ସ୍ଥାନ ପରିଦର୍ଶନ କଲେ ମନକୁ ଶାନ୍ତି ମିଳେ, କେବଳ ତାହା ନୁହେଁ ସତେଜ ସତେଜ ମଧ୍ୟ ଅନୁଭୂତି ହୁଏ । ସେଥିପାଇଁ ପ୍ରାୟ ସମସ୍ତେ ଚାହାନ୍ତି ଛୁଟି ଦିନ ମିଳିଲେ ବାହାରେ ବୁଲାବୁଲି କରି ମନକୁ ହାଲକା କରିବାକୁ । ଆଉ ଯଦି ସ୍ଥାନ ଗୁଡିକ ବଜେଟ ଫ୍ରେଣ୍ଡଲି ହୋଇଗଲା ତାହାଲେ ଖୁସି ଦ୍ବିଗୁଣା ହୋଇଯାଏ । ଆପଣ ଯଦି କମ୍ ଖର୍ଚ୍ଚରେ ଭାରତରେ ବିଭିନ୍ନ ସ୍ଥାନ ବୁଲିବାକୁ ଚାହୁଁଛନ୍ତି ତାହାଲେ ଏହି ଖବର କେବଳ ଆପଣଙ୍କ ପାଇଁ । ଆମେ କହିବୁ କିଛି ଏପରି ପ୍ରସିଦ୍ଧ ସ୍ଥାନ ସମ୍ପର୍କରେ ଯେଉଁଠି ଶସ୍ତାରେ ଆପଣ ବୁଲି ପାରିବେ । ଚାଲନ୍ତୁ ଜାଣିବା ସେପରି କିଛି ସ୍ଥାନ ବିଷୟରେ...
ଋଷିକେଷ: ଋଷିକେଷ ନାଁ ଶୁଣି ଆପଣଙ୍କ ଆଖି ସାମ୍ନାକୁ ଆସୁଥିବ ଜଳକ୍ରୀଡା ସହ ପ୍ରାକୃତିକ ପରିବେଶର ଦୃଶ୍ୟ । ଜଳକ୍ରୀଡା କରିବାକୁ ଭଲ ପାଉଥିବା ତଥା ପ୍ରକୃତିକୁ ଭଲ ପାଉଥିବା ଲୋକଙ୍କ ପାଇଁ ଏହା ପସନ୍ଦିତ ସ୍ଥାନ । ଉତ୍ତରାଖଣ୍ଡରେ ରହିଛି ଏହି ସ୍ଥାନଟି । ଜଳକ୍ରୀଡା ସହ ଏଠାରେ ଦେଖିବାକୁ ଅନେକ ସ୍ଥାନ ରହିଛି । ଯେଉଁଠି ଆପଣ ପରିବାର ହେଉ ଅବା ସାଙ୍ଗ ସାଥୀଙ୍କ ସହ ଯାଇ ଛୁଟି କାଟିପାରିବେ । ଦର୍ଶନୀୟ ସ୍ଥାନ ପାଇଁ ଉତ୍ତରାଖଣ୍ଡ ରାଜ୍ୟ ପ୍ରସିଦ୍ଧି ଲାଭ କରିଥିବା ବେଳେ ଋଷିକେଷ ସେହି ସ୍ଥାନ ମାନଙ୍କ ମଧ୍ୟରୁ ଅନ୍ୟତମ ।
ଖର୍ଚ୍ଚ: ଋଷିକେଷରେ ରହଣି ଖାଇବା ଖର୍ଚ୍ଚ 800ରୁ 1200 ଟଙ୍କା ପଡିବ ।
ମେକ୍ଲୋଡଗଞ୍ଜ: ଏହି ସ୍ଥାନଟି ପାହାଡି ରାଜ୍ୟ ହିମାଚଳରେ ଅବସ୍ଥିତ । ଏଠି ବରଫରେ ଢାଙ୍କି ହୋଇରହିଥାଏ ପର୍ବତ । ବହୁତ ସୁନ୍ଦର ପରିବେଶ ରହିଛି ଏଠାରେ । ଟ୍ରେକିଂ କରିବାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଏହା ପ୍ରକୃଷ୍ଟ ସ୍ଥାନ । ରାତି ହେଲେ ଏହାର ସୁନ୍ଦରତା ଆହୁରି ବଢିଯାଏ । ଏଠି ଦେଖିବା ପାଇଁ ପବ୍ ବାର ସହ ଝରଣା, ବୌଦ୍ଧ ମନ୍ଦିର, ମାର୍କେଟ, ଭ୍ୟୁ ପଏଣ୍ଟ ପରି ବହୁତ କିଛି ସ୍ଥାନ ରହିଛି । ଏଠାକୁ ଯଦି ବୁଲିବାକୁ ଆସୁଛନ୍ତି ହାତରେ 3ରୁ4 ଦିନ ରଖିକି ଆସନ୍ତୁ ।
ଖର୍ଚ୍ଚ: ମେକ୍ଲୋଡଗଞ୍ଜରେ ଖାଇବା ଓ ରହିବା ପାଇଁ 700ରୁ 1500 ଟଙ୍କା ପଡିବ ।
ଉଦୟପୁର: ଭାରତର ସବୁଠୁ ସୁନ୍ଦର ଓ ଆକର୍ଷକ ସହର ଭାବେ ବିଚେଚନା କରାଯାଏ ରାଜସ୍ଥାନର ଉଦୟପୁର ସହର । ଆଉ ବଜେଟ ଫ୍ରେଣ୍ଡଲି ମଧ୍ୟ । ଆପଣଙ୍କ ପାର୍ଟନର କିମ୍ବା ଜୀବନସାଥୀ ସହ ଯଦି କିଛି ଅଭୁଲା ସ୍ଥାନକୁ ଯିବାକୁ ଚାହୁଁଛନ୍ତି ଉଦୟପୁର ହିଁ ପ୍ରକୃଷ୍ଟ ସ୍ଥାନ । ଏଠି ବୁଲିବା ପାଇଁ ବହୁତ ସୁନ୍ଦର ସୁନ୍ଦର ସ୍ଥାନ ରହିଛି । ଯେଉଁଠି ଆପଣ ବହୁ ରୋମାଣ୍ଟିକ ଫଟୋସୁଟ୍ ମଧ୍ୟ କରିପାରିବେ । ଉଦୟପୁର ଯଦି ଆସୁଛନ୍ତି ପିଛୋଲା ହ୍ରଦ ଓ ଡଙ୍ଗାରେ ବୁଲିବା ଜମାରୁ ବି ଭୁଲନ୍ତୁ ନାହିଁ । ଏଠାରେ ଆପଣ ଭିଣ୍ଟେଜ କାର ମ୍ୟୁଜିୟମ ଦେଖି ପାରିବେ । ନିଜ ବଜେଟ ଅନୁସାରେ ଏଠି ହୋଟେଲ ବୁକ୍ କରିପାରିବେ । ତାହା ସହ ସୁସ୍ବାଦୁ ଷ୍ଟ୍ରିଟ୍ ଫୁଡର ମଧ୍ୟ ମଜା ନେଇ ପାରିବେ । ଏଠି ଆପଣ ପିଛୋଲା ହ୍ରଦ, ସିଟି ପ୍ୟାଲେସ୍, ଫତେହପୁର ସାଗର, ଭିଣ୍ଟେଜ କାର ସଂଗ୍ରହାଳୟ, ମନ୍ଦିର ଆଦି ବୁଲି ପାରିବେ ।