ହାଇଦ୍ରାବାଦ:ସକାଳୁ ସକାଳୁ ପୁଣି ଟ୍ରେନ ଦୁର୍ଘଟଣା । ହାଇଦ୍ରାବାଦର ନାମପଲ୍ଲୀ ଷ୍ଟେସନରେ ଟ୍ରାକରୁ ଖସିଲା ଟ୍ରେନ । ଏଠାରେ ଚାରମିନାର ଏକ୍ସପ୍ରେସର 3ଟି ବଗି ଚାଇନଚ୍ୟୁତ ହୋଇଥିବା ସୂଚନା ରହିଛି । ଏହି ଦୁର୍ଘଟଣାରେ 5 ଜଣ ଯାତ୍ରୀ ଆହତ ହୋଇଥିବା ଦକ୍ଷିଣ କେନ୍ଦ୍ରୀୟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ନାମପଲ୍ଲୀ ଟ୍ରେନର ଶେଷ ଷ୍ଟେସନ ହୋଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ତେବେ ଏଥିରେ କୌଣସି ବିଶେଷ କ୍ଷୟକ୍ଷତି ହୋଇନଥିବା ଦକ୍ଷିଣ କେନ୍ଦ୍ରୀୟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।
ଏନେଇ ଦକ୍ଷିଣ କେନ୍ଦ୍ରୀୟ ରେଳପଥର CPRO ରାକେଶଙ୍କ କହିବା ଅନୁସାରେ, "ଏହି ଘଟଣା ସକାଳ 9ଟା 15ର ଅଟେ । ଏହି ରେଳ ଷ୍ଟେସନ ହେଉଛି ଏକ ଟର୍ମିନାଲ ଷ୍ଟେସନ । ଅର୍ଥାତ ଏହା ଟ୍ରେନର ଶେଷ ଷ୍ଟପେଜ । ନାମପଲ୍ଲୀ ଅଭିମୁଖେ ଚାରମିନାର ଏକ୍ସପ୍ରେସ ଯାତ୍ରା କରିବା ସମୟରେ ସେଠାରେ ନ ଅଟକି ଆଗକୁ ମାଡି ଯାଇଥିଲା । ଫଳରେ ଟ୍ରେନର 3ଟି କୋଚ୍ ଲାଇନଚ୍ୟୁତ ହୋଇଯାଇଥିଲା । ତେବେ ଏଥିରେ କାହାର କୌଣସି ବଡ ଧରଣ କ୍ଷୟକ୍ଷତି ହୋଇନଥିଲେ ହେଁ ଟ୍ରେନର ଦ୍ବାର ନିକଟରେ ରହିଥିବା 5 ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ରେଲଓ୍ବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ଚିକିତ୍ସା ଜାରି ରହିଥିବା ବେଳେ ବିଶେଷ ଆଘାତ ଲାଗିନଥିବା ଜଣାପଡିଛି ।"