କେରଳ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି କଂଗ୍ରେସ ଛାଡ଼ିବା ପରେ ତୁଙ୍ଗ ରାଜନେତା ପି.ସି.ଚାକୋ ନିକଟରେ ଶରଦ ପାୱାରଙ୍କ ନେତୃତ୍ବାଧୀନ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ବା ଏନସିପିରେ ଯୋଗ ଦେଇଛନ୍ତି। ଏନସିପିରେ ଚାକୋଙ୍କ ଯୋଗଦାନ ୟୁଡିଏଫର ନିର୍ବାଚନ ସମ୍ଭାବନା ଉପରେ ସେତେଟା ପ୍ରଭାବ ପକାଇ ନପାରେ, କିନ୍ତୁ ଶାସକ ଏଲଡିଏଫ୍ ତା’ର ରାଜନୈତିକ ପ୍ରତିଦ୍ବନ୍ଦ୍ବୀକୁ ଅପମାନିତ କରିବାରେ ଚାକୋଙ୍କୁ ବ୍ୟବହାର କରିପାରେ। କଂଗ୍ରେସରେ ଗୁରୁତ୍ବ ହରାଇଥିବା ଚାକୋ ଗତ ମଙ୍ଗଳବାର ଦିନ ଏନସିପିରେ ଯୋଗ ଦେବା ପରେ ଶାସକ ସିପିଏମ୍ ନେତୃତ୍ବାଧୀନ ବାମପନ୍ଥୀ ଗଣତାନ୍ତ୍ରିକ ସାମ୍ମୁଖ୍ୟ ବା ଏଲଡିଏଫ୍ ପାଇଁ ନିର୍ବାଚନ ପ୍ରଚାର କରିବେ ବୋଲି କହିଛନ୍ତି । ଏନସିପି କେରଳରେ ଏଲଡିଏଫର ଏକ ଅଂଶୀଦାର ଦଳ ହୋଇ ରହିଛି।
74 ବର୍ଷ ବୟସ୍କ ଚାକୋ ବହୁଦିନ ଧରି ରାଜ୍ୟ ରାଜନୀତିରୁ ଦୂରେଇ ହୋଇ ରହିଛନ୍ତି କିନ୍ତୁ 1991, 1996 ଏବଂ 1998ରେ ଯଥାକ୍ରମେ ଥ୍ରୀସୁର, ମୁକୁନ୍ଦପୁରମ ଏବଂ ଇଦୁକି ପରି ଅଞ୍ଚଳରୁ ଲୋକସଭାକୁ ପ୍ରତିନିଧିତ୍ବ କରିଛନ୍ତି । ପୂର୍ବତନ କଂଗ୍ରେସ ନେତା ଚାକୋ ଏନସିପିରେ ତାଙ୍କର ଯୋଗଦାନକୁ ଯଦିଓ ଘରବାହୁଡା ବୋଲି ବର୍ଣ୍ଣନା କରିଛନ୍ତି, ଏପଟେ ଶରଦ ପାୱାରଙ୍କ ନେତୃତ୍ବାଧୀନ ଦଳ କେରଳ ଶାଖାରେ ଗୋଷ୍ଠୀ କନ୍ଦଳ ଲାଗି ରହିଛି । ପାଲା ଆସନରୁ ନିର୍ବାଚିତ ବିଧାୟକ ମନି ସି. କାପ୍ପାନ ଗତ ଫେବ୍ରୁଆରୀ ମାସରେ ନ୍ୟାସନାଲିଷ୍ଟ କଂଗ୍ରେସ (କେରଳ) ନାମରେ ଏକ ନୂଆ ଦଳ ଗଠନ କରିଛନ୍ତି ଏବଂ ସେ କଂଗ୍ରେସ ପରିଚାଳିତ ୟୁନାଇଟେଡ ଡେମୋକ୍ରାଟିକ୍ ଫ୍ରଣ୍ଟ -ୟୁଡିଏଫରେ ଯୋଗଦେବେ ବୋଲି ଘୋଷଣା କରିଛନ୍ତି ।
କାପ୍ପାନ ଦେଶର ସର୍ବପୁରାତନ ଦଳରେ ଯୋଗ ଦିଅନ୍ତୁ ବୋଲି କଂଗ୍ରେସର କେରଳ ରାଜ୍ୟ ଶାଖା ମୁଖ୍ୟ ମୁଲାପାଲ୍ଲି ରାମଚନ୍ଦ୍ରନ ଚାହୁଁଛନ୍ତି, କିନ୍ତୁ ଏନସିପି ବିଦ୍ରୋହୀ ନେତା ନିଜର ଏକ ସ୍ବତନ୍ତ୍ର ଦଳ ରଖିବାକୁ ସ୍ଥିର କରିଛନ୍ତି । ପାଲା ଆସନରୁ ଲଢିବା ପାଇଁ ଏଲଡିଏଫ୍ କାପ୍ପାନଙ୍କୁ ସୁଯୋଗ ଦେଇ ନଥିବା ବେଳେ କଂଗ୍ରେସ ତାଙ୍କୁ ଏହି ଆସନ ସହ ଆଉ ଦୁଇଟି ଆସନ ଦେବାକୁ ପ୍ରତିଶ୍ରୁତି ଦେଇଛି । ସିପିଆଇ-ଏମ୍ ନେତା ତଥା କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ କାପ୍ପାନଙ୍କ ପଦକ୍ଷେପ ସମ୍ପର୍କରେ ଏନସିପି ନେତା ପ୍ରଫୁଲ ପଟେଲଙ୍କ ସହିତ କଥାବାର୍ତ୍ତା କରିଥିଲେ, କିନ୍ତୁ ବିଦ୍ରୋହୀ ନେତାଙ୍କୁ ଏପରି ପଦକ୍ଷେପରୁ ରୋକି ପାରିନାହାଁନ୍ତି ।