ନୂଆଦିଲ୍ଲୀ: ସୋସିଆଲ ମିଡିଆର ନୂଆ ନିୟମକୁ ନେଇ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ପର୍ଯ୍ୟାପ୍ତ ନୁହେଁ । ଅନୁଚିତ ବିଷୟବସ୍ତୁ ଦେଖାଉଥିବା ଡିଜିଟାଲ ପ୍ଲାଟଫର୍ମ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନର କୌଣସି ପ୍ରାବଧାନ ଏଥିରେ ନାହିଁ । ୱେବ ସିରିଜ ତାଣ୍ଡମ ବିବାଦ ମାମଲାରେ ଆମାଜନ ପ୍ରାଇମ ଇଣ୍ଡିଆର ମୁଖ୍ୟ ଅପର୍ଣ୍ଣା ପୁରୋହିତଙ୍କ ଗିରଫଦାରୀ ଉପରେ ରୋକ ଲଗାଇ ଏହା କହିଛନ୍ତି ସୁପ୍ରିମକୋର୍ଟ ।
ସୁପ୍ରିମକୋର୍ଟ କହିଛନ୍ତି, ସୋସିଆଲ ମିଡିଆ ଓ ଓଟିଟି ପ୍ଲାଟଫର୍ମର ଅପବ୍ୟବହାର ରୋକିବା ପାଇଁ କେନ୍ଦ୍ର ପକ୍ଷରୁ ଜାରି ଗାଇଡଲାଇନ ପ୍ରଭାବଶାଳୀ ନୁହେଁ । ତେବେ ଏ ବାବଦରେ ଶୁକ୍ରବାର କେନ୍ଦ୍ରକୁ ମରାମର୍ଶ ଦେଇ କୌଣସି କଡା ନିୟମ ଆଣିବାକୁ କହିଛନ୍ତି କୋର୍ଟ ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି ସରକାର ଉଚିତ ପଦକ୍ଷେପ ଉପରେ ବିଚାର କରିବେ । ଡିଜିଟାଲ ପ୍ଲାଟଫର୍ମ ପାଇଁ କୌଣସି ନିୟମକୁ ଅଦାଲତ ସାମ୍ନାରେ ଉପସ୍ଥାପନ କରାଯିବ । ଏହାର ଜବାବରେ କୋର୍ଟ କହିଛନ୍ତି, ନିୟମର ପାଳନ ନକରିବା ବିରୋଧରେ କୌଣସି ନିୟମର ପ୍ରାବଧାନ ରହିବା ଆବଶ୍ୟକ । ଏହାସହିତ ସୋସିଆଲ ମିଡିଆ ଓ ଆଇଟି ପ୍ଲାଟଫର୍ମର ସାମଗ୍ରୀକୁ ନିୟନ୍ତ୍ରୀତ କରିବା ପାଇଁ ଆଇନ ଆଣିବା ଉପରେ ବିଚାର କରିବାକୁ ସଲିସିଟର ଜେନେରାଲ ମେହେଟ୍ଟାଙ୍କୁ କହିଛନ୍ତି କୋର୍ଟ ।
ଏହା ପୂର୍ବରୁ OTT ପ୍ଲାଟଫର୍ମରେ ପ୍ରଦର୍ଶିତ ବିଷୟବସ୍ତୁ ଉପରେ ଗଭୀର ଚିନ୍ତା ପ୍ରକଟ କରିଥିଲେ ସୁପ୍ରିମକୋର୍ଟ । କିଛି ପ୍ଲାଟଫର୍ମରେ ଅଶ୍ଳୀଳ ଭିଡିଓ ଦେଖାଯାଉଥିବା କୋର୍ଟ କହିଥିଲେ । ତେବେ ଓଟିଟିରେ ପ୍ରଦର୍ଶିତ କଣ୍ଟେଣ୍ଟର ସ୍କ୍ରିନିଂ ହେବାର ଆବଶ୍ୟକତା ଥିବା ନିଜ ରାୟରେ କହିଥିଲେ କୋର୍ଟ ।