ମୁମ୍ବାଇ: ସାରା ଦେଶରେ କୋରୋନା ମହାମାରୀର ତାଣ୍ଡବ ଦେଖିବାକୁ ମିଳୁଥିବା ବେଳେ ସମସ୍ତ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ରର ସ୍ଥିତି ଅତ୍ୟନ୍ତ ଭୟଙ୍କର ରହିଛି । କେନ୍ଦ୍ର ମହାରାଷ୍ଟ୍ରକୁ 4 ଲକ୍ଷ 35 ହଜାରଟି ରେମଡେସିଭିର ଯୋଗାଇବ ବୋଲି ସୂଚନା ମିଳିଛି । ଏଥିଲାଗି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
କେନ୍ଦ୍ର ସରକାର ଏପ୍ରିଲ 30 ତାରିଖ ସୁଦ୍ଧା ରାଜ୍ୟକୁ 4.35 ଲକ୍ଷ ରେମଡେସିଭିର ଯୋଗାଇବେ । ରାଜ୍ୟ ସରକାରଙ୍କ ଅନୁରୋଧକୁ ରକ୍ଷା କରି ପ୍ରଧାନମନ୍ତ୍ରୀ ରେମଡେସିଭିର ଯୋଗାଉଥିବାରୁ ସେ ତାଙ୍କୁ ଟ୍ବିଟ ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି । ତେବେ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବାରୁ ସେମାନଙ୍କ ଚିକିତ୍ସାରେ କୋଭିଡ ଔଷଧ ସହିତ ଅକ୍ସିଜେନର ଅଭାବ ଦେଖାଦେଉଛି । ଏହି ଅଭାବ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଠାକରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ କେନ୍ଦ୍ର ରାଜ୍ୟକୁ ସହାୟତା ଯୋଗାଇଛି । ପୂର୍ବରୁ କେନ୍ଦ୍ର ରାଜ୍ୟକୁ 2 ଲକ୍ଷ 69 ହଜାର ରେମଡେସିଭିର ଯୋଗାଇଥିଲା ।