ନୂଆଦିଲ୍ଲୀ:ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଆଜି ବହୁଚର୍ଚ୍ଚିତ ଦିଲ୍ଲୀ ପ୍ରଶାସନିକ ସେବା ଅଧ୍ୟାଦେଶ ବିଲ୍କୁ ଲୋକସଭାରେ ଆଗତ କରିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ଯାନନ୍ଦ ରାୟ । ଗୃହରେ ବିଲ ଆଗତ ହେବା ପରେ ବିରୋଧୀମାନେ ହୋହାଲ୍ଲା କରିଥିଲେ । ଦିଲ୍ଲୀରେ ଶାସନରେ ଥିବା ଆମ ଆଦମୀ ପାର୍ଟିର ସାଂସଦମାନେ ଗୃହରେ ନାରାବାଜୀ କରିବା ସହ ଏହା ଏକ ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ ବିଲ୍ ବୋଲି କହିଥିଲେ । ସେହିପରି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ମଧ୍ୟ ଏହି ବିଲ୍କୁ ବିରୋଧ କରିଛି । ଦଳୀୟ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ଏହି ବିଲ୍ ସୁପ୍ରିମକୋର୍ଟଙ୍କ ଆଦେଶର ବିରୋଧୀ । ବିଲ ଆଗତ ହେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ପାଇଁ କୌଣସି ପ୍ରକାର ଆଇନ ପ୍ରଣୟନ କରିବା ପାଇଁ ସଂସଦ କ୍ଷମତାରୁ ସଙ୍କୁଚିତ କରାଯାଇ ପାରିବନାହିଁ ।
କେନ୍ଦ୍ର ସରକାର ଏହି ଅଧ୍ୟାଦେଶ ଜାରି କରିବା ପରେ ଏହାକୁ ସଂସଦରେ ପାରିତ ନକରାଇଦେବା ପାଇଁ ସମସ୍ତ ରାଜନୈତିକ ପ୍ରୟାସ କରିସାରିଛି ଆମ ଆଦମୀ ପାର୍ଟି । ଏହି ମାମଲା ଏବେ ସର୍ବୋଚ୍ଚ କୋର୍ଟରେ ବିଚାରାଧୀନ ରହିଥିବା ବେଳେ ଆଜି ଏହା ଲୋକସଭାରେ ଆଗତ ମଧ୍ୟ ହୋଇଛି । ଆଜି ଗୃହରେ ଆମ୍ ଆଦମୀ ପାର୍ଟିର ସଦସ୍ୟମାନେ କହିଛନ୍ତି, ‘‘ଦିଲ୍ଲୀ ସେବା ଅଧ୍ୟାଦଶକୁ ପରିବର୍ତ୍ତନ କରିବା ପାଇଁ ଆଜି ଗୃହରେ ଆଗତ କରାଯାଇଥିବା ସେବା ବିଲ୍ ଆଜି ପର୍ଯ୍ୟନ୍ତ ସଂସଦରେ ଉପସ୍ଥାପିତ ହୋଇଥିବା ସବୁଠାରୁ ଅଗଣତାନ୍ତ୍ରିକ, ବେଆଇନ ଡକ୍ୟୁମେଣ୍ଟ ।"
ତେବେ ଏହି ବିବାଦୀୟ ବିଲକୁୁ ଉଚ୍ଚସଦନରେ ପାରିତ ନକରାଇଦେବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପ୍ରାୟ ସମସ୍ତ ବିରୋଧୀ ଦଳଙ୍କ ସମର୍ଥନ ହାସଲ କରିସାରିଛନ୍ତି । ଭାରତୀୟ ଜନତା ପାର୍ଟି ଓ ଏନଡିଏର ସଂଖ୍ୟା ଆଧାରରେ ଏହା ନିମ୍ନ ସଦନ ଲୋକସଭାରେ ପାରିତ ହେବାରେ କୌଣସି ସମସ୍ୟା ନାହିଁ । ହେଲେ ଏହାକୁ ରାଜ୍ୟସଭାରେ ବିରୋଧୀଙ୍କ ସମର୍ଥନରେ ପାରିତ ନକରାଇଦେବା ପାଇଁ ଆମ ଆଦମୀ ପାର୍ଟି ସମସ୍ତ ପ୍ରୟାସ କରିଛି । କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଏହି ପ୍ରସଙ୍ଗରେ କେଜ୍ରିଓ୍ବାଲଙ୍କୁ ସମର୍ଥନ ଦେଇସାରିଛନ୍ତି ।