ନୂଆଦିଲ୍ଲୀ:କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ(Article 370) ପରେ ୨୦୨୧ ପର୍ଯ୍ୟନ୍ତ ଅର୍ଥାତ ୨୮ ମାସ ମଧ୍ୟରେ ଘାଟିରେ ସୁରକ୍ଷା ବାବଦକୁ କେନ୍ଦ୍ର ସରକାର ଖର୍ଚ୍ଚ କଲେଣି ୯ ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କା । ଏହି ରାଶି ଜମ୍ମୁ କାଶ୍ମୀର ସରକାରଙ୍କୁ ସୁରକ୍ଷା (Security in JK) ସମ୍ପର୍କିତ ଖର୍ଚ୍ଚ ଯୋଜନା ଅଧୀନରେ କେନ୍ଦ୍ର ପ୍ରଦାନ କରିଥିବା ଜଣାପଡିଛି । ୨୦୧୯ ଅଗଷ୍ଟ ୫ ତାରିଖରେ କାଶ୍ମୀରକୁ ସ୍ବତନ୍ତ୍ର ପାହ୍ୟା ପ୍ରଦାନ କରୁଥିବା ଧାରା-୩୭୦ ଉଚ୍ଛେଦ ପରେ ଏହି ରାଶି ଖର୍ଚ୍ଚ ହୋଇଛି ।
୨୦୧୯ ଅଗଷ୍ଟ ୫ ରେ ଜମ୍ମୁ କାଶ୍ମୀରରୁ ଧାରା- ୩୭୦ ଓ ୩୫ (A) ହଟାଇ ଦେଇଥିଲେ କେନ୍ଦ୍ର ସରକାର । ଏଥିସହ ଜମ୍ମୁ କାଶ୍ମୀରର ସ୍ବତନ୍ତ୍ର ରାଜ୍ୟ ପାହ୍ୟାକୁ ମଧ୍ୟ ପ୍ରତ୍ୟାହାର କରି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଛି । ତେବେ ଉଚ୍ଛେଦ ପରେ ଘାଟିରେ ଶାନ୍ତି ବଜାୟ ରଖିବା ସହ ସୁରକ୍ଷାକୁ ଆହୁରି ସୁଦୃଢ କରିବାକୁ ବିଶେଷ ଗୁରୁତ୍ବ ଦିଆଯାଇଛି । ଏହି କାରଣରୁ ଗତବର୍ଷ (୨୦୨୧) ସୁଦ୍ଧା ମୋଟ ୯,୧୨୦.୬୯ କୋଟି ଟଙ୍କା କାଶ୍ମୀରରେ ସୁରକ୍ଷା ବାବଦକୁ ଦିଆଯାଇଥିବା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୂଚନା ଦେଇଛି ।