ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆଜି ବିମାନବନ୍ଦର ଏବଂ ବନ୍ଦର ମାଧ୍ୟମରେ ଭାରତରେ ପହଞ୍ଚୁଥିବା ଆନ୍ତର୍ଜାତୀୟ ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ସ୍କ୍ରିନିଂର କାର୍ଯ୍ୟକାରିତା ସମୀକ୍ଷା କରିଛି ।
ଏହି ବୈଠକରେ ବିମାନ ବନ୍ଦର ଏବଂ ବନ୍ଦର ସ୍ୱାସ୍ଥ୍ୟ ଅଧିକାରୀ (ଏପିଏଚଓ / ପିଏଚଓ) ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକମାନେ ଯୋଗ ଦେଇଥିଲେ । ସମସ୍ତ ଆନ୍ତର୍ଜାତୀୟ ଯାତ୍ରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷଣ ନିଶ୍ଚିତ କରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା ଯାହାଦ୍ବାରା ଦେଶରେ ମଙ୍କିପକ୍ସ ଏବଂ କୋଭିଡ ସଂକ୍ରମଣର ସମ୍ଭାବନାକୁ କମ କରାଯାଇପାରିବ ।
ମନ୍ତ୍ରଣାଳୟର ‘ମଙ୍କିପକ୍ସ’ ରୋଗର ପରିଚାଳନା ପାଇଁ ନିର୍ଦ୍ଦେଶାବଳୀ’ ଅନୁଯାୟୀ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା ଏବଂ ଦିଗଦର୍ଶନ ପ୍ରଦାନ କରାଯାଇଥିଲା ।
ଏହା ସହିତ ଅନ୍ୟାନ୍ୟ ଅଂଶୀଦାର ଯଥା ଆନ୍ତର୍ଜାତିକ ବନ୍ଦର ଓ ବିମାନ ବନ୍ଦରର ଇମିଗ୍ରେସନରେ ସମନ୍ବୟ ସ୍ଥାପନ କରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି । ଯଦ୍ବାରା ସ୍ବାସ୍ଥ୍ୟ ସ୍କ୍ରିନିଂ ପ୍ରକ୍ରିୟାକୁ ଶୃଙ୍ଖଳିତ କରାଯାଇପାରିବ । ଏହା ସହିତ ପ୍ରତି ବନ୍ଦରର ପ୍ରବେଶ ମାର୍ଗରେ ହସପିଟାଲ ସହିତ ଏକ ଉପଯୁକ୍ତ ଲିଙ୍କେଜ ବ୍ୟବସ୍ଥା ସ୍ଥାପନ କରାଯାଇଛି ଯଦ୍ବାରା ସଠିକ ସମୟରେ ରେଫରାଲ ଓ ଆଇସୋଲେସନ ବ୍ୟବସ୍ଥା କରାଯାଇପାରିବ ।
ଏହି ବୈଠକରେ ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ବିଭାଗ ଏବଂ ବିପର୍ଯ୍ୟୟ ପରିଚାଳନା ସେଲର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ ।