ନୂଆଦିଲ୍ଲୀ: ୟୁକ୍ରେନ-ଋଷ ମଧ୍ୟରେ ଲାଗି ରହିଥିବା ସଂଙ୍କଟ ମଧ୍ୟରେ ଭାରତକୁ ଫେରୁଛନ୍ତି ସେଠାରେ ଥିବା ଛାତ୍ରଙ୍କ ସମେତ ଅନ୍ୟ ନାଗରିକ । ତେବେ ସେମାନଙ୍କ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାକୁ ସୁଗମ କରିବାକୁ ୟୁକ୍ରେନରୁ ଭାରତକୁ ବିମାନ ସେବା ଉପରେ ଲଗାଯାଇଥିବା କଟକଣା ହଟାଇଛନ୍ତି କେନ୍ଦ୍ର ସରକାର । ଭାରତ ଓ ୟୁକ୍ରେନ ମଧ୍ୟରେ ହୋଇଥିବା ଏୟାର-ବବୁଲ ଚୁକ୍ତିନାମା ଅନୁସାରେ, ଏବେ ସମସ୍ତ ପୂର୍ବନିର୍ଦ୍ଧାରିତ ବିମାନ ଭାରତ ଅଭିମୁଖେ ଉଡାଣ ଭରିପାରିବେ ବୋଲି କହିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ।
ଗତ ଦୁଇ ଦିନ ଧରି ୟୁକ୍ରେନରେ ଥିବା ଭାରତୀୟ ସ୍ବଦେଶ ଫେରିବା ପ୍ରକ୍ରିୟା ଜାରି ରହିଥିବା ବେଳେ ଗତକାଲି ପର୍ଯ୍ୟାପ୍ତ ପରିମାଣର ବିମାନ ନଥିବା ସମସ୍ୟା ସାମ୍ନାକୁ ଆସିଥିଲା । ୟୁକ୍ରେନରେ ଅବସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସଠିକ ସୂଚନା ଆଦାନ ପ୍ରଦାନ ଓ ସମନ୍ବୟ ରକ୍ଷା ପାଇଁ ନିୟନ୍ତ୍ରଣ କକ୍ଷ ଖୋଲାଯିବା ସହ ହେଲ୍ପଲାଇନ ଜାରି କରାଯାଇଥିଲା । ଆବଶ୍ୟକ ହେଲେ ଅଧିକ ବିମାନ ଉଡାଣ ପାଇଁ ବ୍ୟବସ୍ଥା କରାଯିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିବା ବେଳେ ଚିନ୍ତିତ ନହେବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଥିଲା।