ନୂଆଦିଲ୍ଲୀ:ଗତକାଲି ରାତିରେ ଉତ୍ତର ପ୍ରଦେଶରେ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ଏବଂ ତାର ଭାଇ ଅସରଫ ହତ୍ୟା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷା ନେଇ ମଧ୍ୟ ଚିନ୍ତା ବଢିଛି । ଫିଲ୍ମ ଷ୍ଟାଇଲ ଗୁଳିମାଡରୁ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏଥିପାଇଁ ଗ୍ରାଉଣ୍ଡରେ କାର୍ଯ୍ୟ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର(SOP) ଆଣିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିଚାର ବିମର୍ଶ କରୁଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି ।
ସାମ୍ବାଦିକଙ୍କ ପାଇଁ କେନ୍ଦ୍ର ଆଣିବ ଏସଓପି:କେନ୍ଦ୍ର ଜାରି କରିବାକୁ ଥିବା ଏସଓପିରେ ସାମ୍ବାଦିକଙ୍କ ସୁରକ୍ଷା ନେଇ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିୟମ ରହିବ । ସେମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ପୋଲିସ ଓ ପ୍ରଶାସନ ମଧ୍ୟ ତତ୍ପରତା ଦେଖାଇବାକୁ ନିମୟରେ ନିର୍ଦ୍ଦେଶ ରହିପାରେ । ଗଣମାଧ୍ୟମ ପ୍ରତିନିଧିମାନେ ବିଭିନ୍ନ ସମୟରେ ଆହ୍ବାନପୂର୍ଣ୍ଣ ସ୍ଥିତିରେ କାର୍ଯ୍ୟ କରୁଥିବାରୁ ସେମାନଙ୍କ ସୁରକ୍ଷା ମଧ୍ୟ ବିପନ୍ନ ହେଉଛି ।
ଗତକାଲି ହୋଇଥିବା ଆକ୍ରମଣ ଏତେ ଭୟଙ୍କର ଥିଲା ଯେ, ଦୁଇ ମାଫିଆ ଭାଇ ହ୍ୟାଣ୍ଡକଫରେ ଥିବା ଅବସ୍ଥାରେ ନିମିଷକେ ଟଳି ପଡିଥିଲେ । ସେମାନଙ୍କୁ ନେଇ ଯାଉଥିବା ପୋଲିସ କର୍ମୀମାନେ କିଛି ସମୟ ପାଇଁ ଛତ୍ରଭଙ୍ଗ ଦେଇଥିବା ଦେଖିବାକୁ ମିଳିଥିଲା । ଗଣମାଧ୍ୟମ ପ୍ରତିନିଧି ଅଳ୍ପକେ ବର୍ତ୍ତି ଯାଇଥିଲେ । ପ୍ରାୟ 18 ରାଉଣ୍ଡ ଗୁଳି ଚଳାଇବା ପରେ 3 ଅପରାଧୀ ହତିଆର ଛାଡି ଦେଇ ସରେଣ୍ଡର ବୋଲି କହି ଚିତ୍କାର କରିଥିଲେ । ପୋଲିସ ସେମାନଙ୍କୁ କାବୁ କରିଥିଲା । ଗୁଳିମାଡର ସମସ୍ତ ଦୃଶ୍ୟ ଗଣମାଧ୍ୟମର କ୍ୟାମେରାର କଏଦ ହୋଇଥିଲା ।