ନୂଆଦିଲ୍ଲୀ:କୋରୋନା ମହାମାରୀ ପାଇଁ ଅନିଶ୍ଚିନ୍ତତା ଭିତରେ ସ୍କୁଲ ପିଲାଙ୍କ ପାଠପଢା । ସଂକ୍ରମଣ ସ୍ଥିତିରେ ସାମାନ୍ୟ ସୁଧାର ଆସିଲେ ବିଦ୍ୟାଳୟ ଖୋଲୁଛି । ପୁଣି ପରିସ୍ଥିତି ବିଗିଡିଲେ ବିଦ୍ୟାଳୟ ବନ୍ଦ କରିବାକୁ ବାଧ୍ୟ ହୋଇ ନିଷ୍ପତ୍ତି ନିଆଯାଉଛି । ଦେଶରେ ଆସନ୍ତା ମାସରୁ ବିଦ୍ୟାଳୟ ଖୋଲିବା ନେଇ ଯୋଜନା ହେଉଛି । ଏନେଇ ଖୁବ ଶୀଘ୍ର କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଆଣି ପାରନ୍ତି ବୋଲି ସୂଚନା ମିଳିଛି ।
ସମସ୍ତ ବର୍ଗର ପିଲାଙ୍କ ପାଠପଢା ମହାମାରୀରେ ପ୍ରଭାବିତ ହୋଇଛି । ନୂଆ ଭାରିଆଣ୍ଟ ଓମିକ୍ରନ୍ ଆସିବା ଦ୍ବାରା ପୁଣିଥରେ ସ୍କୁଲରେ ତାଲା ପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲିବାକୁ କେନ୍ଦ୍ର ସରକାର ମଡେଲ୍ ତିଆରି କରୁଛନ୍ତି । କୋଭିଡ୍-୧୯ର ସବୁ ନିୟମ ପାଳନ କରାଯାଇ ସ୍କୁଲରେ ପାଠପଢ଼ା ସ୍ବାଭାବିକ କରିବାକୁ ଏହି ମଡେଲ୍ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି । ଏହି ମଡେଲ୍ ଦ୍ବାରା ଶିକ୍ଷା ବ୍ୟବସ୍ଥା ପୁଣି ଟ୍ରାକ୍କୁ ଫେରିବ । ସ୍ବାସ୍ଥ୍ୟମନ୍ତ୍ରୀ ନ୍ୟାସନାଲ ଏକ୍ସପର୍ଟ ଟିମ ସହ ଆଲୋଚନା କରୁଛନ୍ତି ।