ନୂଆଦିଲ୍ଲୀ:ଆସନ୍ତା ବର୍ଷ ୨୦୨୪ରେ ସାଧାରଣ ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ଆଦିମ ଜନଜାତିଙ୍କ ବିକାଶ ଉପରେ ସରକାର ସ୍ବତନ୍ତ୍ର ଗୁରୁତ୍ବାରୋପ କରିଛନ୍ତି । ଏଥିଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନା ବେଳେ ଆଦିବାସୀ ଓ ଅଳ୍ପ ସଂଖ୍ୟକ ଶ୍ରେଣୀଙ୍କ ବିକାଶ ଲାଗି ୧୫ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ବୁଧବାର ଲୋକସଭାରେ ବଜେଟ ଉପସ୍ଥାପନା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ନେଇ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ PVTG (particularly vulnerable tribal groups) ବିକାଶ ମିଶନ ମାଧ୍ୟମରେ ଏମାନଙ୍କ ବିକାଶ କରାଯିବ ।
ସମାଜରେ ଥିବା ଅସୁରକ୍ଷିତ ଗୋଷ୍ଠୀଙ୍କ ସାମାଜିକ-ଅର୍ଥନୈତିକ ବିକାଶ ଲାଗି ପ୍ରଧାନମନ୍ତ୍ରୀ PVTG ବିକାଶ ମିଶନକୁ ଲଞ୍ଚ କରାଯାଇଛି । ଆସନ୍ତା ୩ ବର୍ଷ ମଧ୍ୟରେ ବିଭିନ୍ନ ଯୋଜନା ମାଧ୍ୟମରେ ୧୫ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ଆଦିବାସୀଙ୍କ ସ୍ବାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ସ୍ବଚ୍ଛତା, ମୌଳିକ ଭିତ୍ତିଭୂମିର ବିକାଶ ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି । ଏହାଦ୍ବାରା ୩.୫ଲକ୍ଷ ଆଦିବାସୀ ସମ୍ପ୍ରଦାୟ ଉପକୃତ ହେବେ । କେନ୍ଦ୍ର ବଜେଟ ୨୦୨୩ ଅଭିଭାଷଣ ବେଳେ ଏ ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।