ନୂଆଦିଲ୍ଲୀ:ନକ୍ସଲ ପ୍ରଭାବିତ ରାଜ୍ଯ ଗୁଡିକରେ ଥିବା ଜଙ୍ଗଲ ଜମିରେ ଭିତ୍ତିଭୂମି ସମ୍ବନ୍ଧୀୟ ପ୍ରକଳ୍ପଗୁଡିକ ଦ୍ରୁତ ବିକାଶ ଲାଗି କେନ୍ଦ୍ରର ଅନୁମୋଦନ । ଏଥିପାଇଁ ଜଙ୍ଗଲ ଭୂମିରେ ନିୟମ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ଏଥିସହ ୨୦୨୦-୨୧ ବର୍ଷ ପାଇଁ ନକ୍ସଲ ପ୍ରଭାବିତ ରାଜ୍ଯଗୁଡିକରେ ଥିବା ଜଙ୍ଗଲ ଜମିରେ ୧୪ ପ୍ରକାର ପ୍ରକଳ୍ପର ଦ୍ରୁତ ବିକାଶ ଲାଗି ଅନୁମୋଦନ ଦେଇଛନ୍ତି କେନ୍ଦ୍ର ସରକାର ।
ସେହିପରି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିକଟରେ ପ୍ରକାଶିତ ୨୦୨୦-୨୧ ବାର୍ଷିକ ରିପୋର୍ଟରେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦନ କରାଯାଇଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ଜଙ୍ଗଲ ନିୟମରେ ପରିବର୍ତ୍ତନ କରାଯିବା ସହ ୧୪ଟି ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଅନୁମୋଦନ ଦେଇଛନ୍ତି । ନକ୍ସଲ ପ୍ରଭାବିତ ରାଜ୍ୟଗୁଡିକରେ ଥିବା ନକ୍ସଲ ଉପଦ୍ରବ ଅଞ୍ଚଳରେ ବିଦ୍ୟାଳୟ, ଡିସପେନସାରୀ, ହସ୍ପିଟାଲ, ଇଲେକ୍ଟ୍ରିକାଲ ଏବଂ ଟେଲିଯୋଗାଯୋଗ ଲାଇନ, ପାନୀୟ ଜଳ ପ୍ରକଳ୍ପ, ଜଳ ଓ ବର୍ଷା ଜଳ ସଂରକ୍ଷଣ ସଂରଚନା, କ୍ଷୁଦ୍ର ଜଳସେଚନ କେନାଲ, ଅଣ-ପାରମ୍ପରିକ ଶକ୍ତି ଉତ୍ସ, ଦକ୍ଷତା ଉନ୍ନୟନ ଏବଂ ଧନ୍ଦାମୂଳକ ତାଲିମ କେନ୍ଦ୍ର ସହ ଗ୍ରାମୀଣ ରାସ୍ତା ବିକାଶ ପ୍ରକଳ୍ପ ସାମିଲ ରହିଛି ।
ସେହିଭଳି ପୂର୍ବରୁ ଜଙ୍ଗଲ(ସଂରକ୍ଷଣ) ଅଧିନିୟମ, ୧୯୮୦ର ଧାରା ୨ ଅନୁଯାୟୀ, ୩୧ ଡିସେମ୍ବର ୨୦୨୦ ମସିହା ପର୍ଯ୍ୟନ୍ତ ୫ ହେକ୍ଟର ଜଙ୍ଗଲ ଜମିରେ ବିକାଶ କାର୍ଯ୍ୟ ହେଉଥିବା ବୈଧତାକୁ ପରିବର୍ତ୍ତନ କରି ବର୍ତ୍ତମାନ ନକ୍ସଲ ପ୍ରଭାବିତ ଅଞ୍ଚଳରେ ୪୦ ହେକ୍ଟର ପର୍ଯ୍ୟନ୍ତ ଜଙ୍ଗଲ ଜମିର ଡାଇଭର୍ସନ ପାଇଁ ସାଧାରଣ ଅନୁମୋଦନ ହୋଇଛି । ଏଥିସହ ନକ୍ସଲ ପ୍ରଭାବିତ ଅଞ୍ଚଳରେ ସଡକ ଆବଶ୍ୟକତା ଯୋଜନା କାର୍ଯ୍ୟକାରୀ କରିବା(implementing Road Requirement Plan-I) ସହ ବିକାଶ ଲାଗି ଅଧିକ ଗୁରୁତ୍ବ ଦେଇଛି ମନ୍ତ୍ରଣାଳୟ । ଏହା ସହିତ ୨୬ ଫେବୃଆରୀ ୨୦୦୯ ପର ଠାରୁ ୮ଟି ରାଜ୍ୟର ୩୪ଟି ନକ୍ସଲ ପ୍ରଭାବିତ ଜିଲ୍ଲାରେ ସଡକ ଯୋଗାଯୋଗ ସୃଦଢ କରାଯାଇଛି ।
ଏହି ୮ଟି ରାଜ୍ୟ ହେଉଛନ୍ତି, ଆନ୍ଧ୍ରପ୍ରଦେଶ( ଉଭୟ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା), ବିହାର, ଛତିଶଗଡ, ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡିଶା ଏବଂ ଉତ୍ତରପ୍ରଦେଶ । ଏହି ଯୋଜନାରେ ୭୮,୬୭୩ କୋଟି ଟଙ୍କା ମୂଲ୍ୟରେ ୫,୩୬୨ କିଲୋମିଟର ରାସ୍ତା ଏବଂ ଆଠଟି ଗୁରୁତ୍ୱପୂର୍ଣ୍ଣ ସେତୁ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ସେହିଭଳି ୩୧ ମାର୍ଚ୍ଚ ୨୦୨୧ ସୁଦ୍ଧା ୪,୯୮୧ କିଲୋମିଟର ରାସ୍ତା ଓ ୬ଟି ଗୁରୁତ୍ବପୂର୍ଣ୍ଣ ସେତୁ ନକ୍ସଲ ପ୍ରଭାବିତ ଅଞ୍ଚଳରେ ନିର୍ମାଣ ହୋଇଛି ବୋଲି ପ୍ରକାଶିତ ରିପୋର୍ଟରେ କୁହାଯାଇଛି ।