ନୂଆଦିଲ୍ଲୀ:ଦେଶରେ 'ଗୋଟିଏ ଦେଶ ଗୋଟିଏ ନିର୍ବାଚନ' ପାଇଁ ଆଉ ପାଦେ ଆଗକୁ ବଢିଛନ୍ତି କେନ୍ଦ୍ର ସରକାର । ଏହି ପରିପ୍ରେକ୍ଷୀରେ ସରକାର ଆଜି ଏକ ବଡ ପଦକ୍ଷେପ ନେଇଛନ୍ତି । ଏକକ ନିର୍ବାଚନ ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗୋଟିଏ ଗୁରୁତ୍ବପୂର୍ଣ୍ଣ କମିଟି ଗଠନ ହୋଇଛି । ଏହି କମିଟି ଏକକ ନିର୍ବାଚନ ପାଇଁ ବିଭିନ୍ନ ଦିଗ ଉପରେ ବିଚାର କରିବ ଓ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ । କୋବିନ୍ଦଙ୍କ ନେତୃତ୍ବାଧୀନ କମିଟିରେ ଦୁଇ ଜଣ ଅବସରପ୍ରାପ୍ତ ବିଚାରପତି ରହିପାରନ୍ତି । ଏନେଇ କିଛି ସମୟ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇବ । କେନ୍ଦ୍ର ସରକାର ସଂସଦର ସ୍ବତନ୍ତ୍ର ଅଧିବେଶନ ଡକାଇବାର ଦିନକ ପରେ ସରକାର ଏହି କମିଟି ଗଠନ କରିଛନ୍ତି ।
ଗତକାଲି(ଗୁରୁବାର) କେନ୍ଦ୍ର ସରକାର ଅଚାନକ ସଂସଦର ସ୍ବତନ୍ତ୍ର ଅଧିବେଶନ ଡକାଇଥିଲେ । ସେପ୍ଟେମ୍ବର ୧୮ରୁ ୨୨ ଯାଏଁ ଅଧିବେଶନ ଚାଲିବାକୁ ଥିବାବେଳେ ଏହାର କୌଣସି ଏଜେଣ୍ଡା ପ୍ରକାଶ କରାଯାଇନାହିଁ । ତେବେ ହଠାତ୍ ଏପରି ଭାବେ ସଂସଦ ଅଧିବେଶନ ଡକାଯିବା ନେଇ ଏକକ ନିର୍ବାଚନ ଚର୍ଚ୍ଚା ଜୋର ଧରିଥିବା ବେଳେ କେନ୍ଦ୍ର ସରକାର ଏନେଇ ଆଜି ବଡ ସଙ୍କେତ ଦେଇଛନ୍ତି । ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି ଯେ, ସ୍ବତନ୍ତ୍ର ଅଧିବେଶନ ବେଳେ ସରକାର ୱାନ ନେସନ ୱାନ ଇଲେକ୍ସନ ବା ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ୍ ଆଣିପାରନ୍ତି । ଏହି ବିଲ୍ ପାସ୍ ହେଲେ ଦେଶରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସମୟରେ ହେବ ।