ନୂଆଦିଲ୍ଲୀ:ଅଗ୍ନିବୀରମାନଙ୍କ ଲାଗି ବଡ଼ ଘୋଷଣା କଲେ କେନ୍ଦ୍ର ସରକାର । ଏହି ଘୋଷଣାରେ ବିଏସଫ (BSF)ରେ ଭର୍ତ୍ତି ହେବା ଲାଗି ଅଗ୍ନିବୀରଙ୍କ ଲାଗି ରହିଛି ବଡ଼ ସୁଯୋଗ । ବିଏସଏଫରେ ଖାଲି ଥିବା ପଦବୀକୁ ପୂରଣ କରିବା ଲାଗି କେନ୍ଦ୍ର ସରକାର ଅଗ୍ନିବୀରଙ୍କ ଲାଗି ୧୦ ପ୍ରତିଶତ ସିଟକୁ ସଂରକ୍ଷିତ ରଖିଥିବା ଘୋଷଣା କରିଛନ୍ତି । ଗୁରୁବାର ଗୃହ ବିଭାଗ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇ ଏ ନେଇ ଘୋଷଣା ହୋଇଛି । ଯେକୌଣସି ବ୍ୟାଚ ଏହି ସୁବିଧାର ଲାଭ ଉଠାଇପାରିବେ ବୋଲି ନୋଟିସରେ ଦର୍ଶାଯାଇଛି ।
ମନ୍ତ୍ରଣାଳୟ ୧୯୬୮ ବିଏସଏଫ ସମ୍ବନ୍ଧିତ ଅଧିନୟମ ଆଧାରରେ ଏ ନେଇ ଘୋଷଣା କରିଛି । ଅଗ୍ନିବୀରଙ୍କ ନିଯୁକ୍ତ ଲାଗି ବୟସ ସୀମାକୁ ମଧ୍ୟ ବର୍ଦ୍ଧିତ କରାଯାଇଛି । ଅଗ୍ନିବୀର ପ୍ରଥମ ବ୍ୟାଚର ଆଶାୟୀଙ୍କ ଲାଗି ୫ବର୍ଷ ଓ ପରବର୍ତ୍ତୀ ବ୍ୟାଚ ଲାଗି ୩ବର୍ଷ ବୟସ ସୀମା ହ୍ରାସ କରାଯାଇଛି । ଏହାସହିତ ପୂର୍ବତନ ଅଗ୍ନିବୀରଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷା ମଧ୍ୟ ଦେବାକୁ ପଡ଼ିବ ନାହିଁ । ଗତ ବର୍ଷ ଜୁନ ୧୪ ତାରିଖରେ ଭାରତୀୟ ସେନାରେ ନିଯୁକ୍ତି ଲାଗି କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା ଆଣିଥିଲେ । ଏହି ଯୋଜନା ଅନୁସାରେ ଭାରତୀୟ ସେନା, ନୌ ସେନା ଓ ବାୟୁସେନାରେ ୧୭ରୁ ୨୧ ବର୍ଷର ଯୁବକଙ୍କୁ ନିଯୁକ୍ତି ଦିଆଯିବା ସହିତ ସେମାନଙ୍କୁ ୪ବର୍ଷ ଲାଗି ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଥିଲା ।