ନୂଆଦିଲ୍ଲୀ:କାଶ୍ମୀରର ଚର୍ଚ୍ଚିତ ତଥା ବିବାଦୀୟ ଆଇପିଏସ ଅଧିକାରୀ ବସନ୍ତ ରଥଙ୍କୁ କେନ୍ଦ୍ର ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଗତ ଦୁଇବର୍ଷ ଧରି ଆଇପିଏସ ରଥ ଜମ୍ମୁ କାଶ୍ମୀର ପୋଲିସ ଡିଜି ଦିଲବାଗ ସିଂଙ୍କ ବିରୋଧରେ କ୍ରମାଗତ ଅଭିଯୋଗ କରି ଚର୍ଚ୍ଚାକୁ ଆସିଥିଲେ । ଏହି ବିବାଦ କାରଣରୁ ତାଙ୍କୁ 2020ରେ ନିଲମ୍ବିତ କରାଯାଇଥିଲା । ପରେ ଏହି ନିଲମ୍ବନ ଆଦେଶକୁ ମଧ୍ୟ ବୃଦ୍ଧି କରାଯାଇଥିଲା । ଆଜି ତାଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସେବାରୁ ବାଧ୍ୟତାମୂଳକ ଅବସର ପ୍ରଦାନ କରିଛି । ରଥ ହେଉଛନ୍ତି ଅରୁଣାଚଳ, ଗୋଆ, ମିଜୋରାମ ଓ କେନ୍ଦ୍ର ଶାସିତ ଅଞ୍ଚଳ (GAMUT) କ୍ୟାଡରର ପୋଲିସ ସେବାର 2000 ବ୍ୟାଚ୍ର ସର୍ବାଭାରତୀୟ ପୋଲିସ ସେବା ଅଧିକାରୀ ।
ଚଳିତ ମାସ (ଅଗଷ୍ଟ) 7 ତାରିଖରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ରାଷ୍ଟ୍ରପତି ଆଇପିଏସ ବସନ୍ତ ରଥଙ୍କୁ ସାଧାରଣ ସ୍ୱାର୍ଥ ଦୃଷ୍ଟିରୁ ସେବାରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଗୃହ ମନ୍ତ୍ରଣାଳୟ ଜାମ୍ମୁ କାଶ୍ମୀରର ମୁଖ୍ୟ ଶାସନ ସଚିବଙ୍କୁ ଏକ ଆଦେଶରେ ଏହା ସ୍ପଷ୍ଟ କରିଛି । 1958 ସର୍ବଭାରତୀୟ ସେବା ଅଧିନିୟମ 16 (3) ଅନୁଯାୟୀ, ବସନ୍ତ ରଥଙ୍କୁ ତିନିମାସ ଦରମା ଏବଂ ଭତ୍ତା ଦେଇ ତୁରନ୍ତ ସାଧାରଣ ସ୍ୱାର୍ଥରେ ଅବସର ପ୍ରଦାନ କରାଯାଉଥିବା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ।