ନୂଆଦିଲ୍ଲୀ: ଭାରତ ସୀମାରେ ଚୀନ ଗ୍ରାମ ନିର୍ମାଣ ଖବରକୁ ଖଣ୍ଡନ କଲେ ପ୍ରତିରକ୍ଷା ମୁଖ୍ୟ ବିପିନ ରାୱତ । ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ (LAC)ର ଭାରତ ଅଞ୍ଚଳରେ କୌଣସି ଅନୁପ୍ରବେଶ ହୋଇନାହିଁ । ଏକ ନୂତନ ଗ୍ରାମ ନିର୍ମାଣ ଉଦ୍ଦେଶ୍ୟରେ ଚୀନ୍ ସୈନ୍ୟମାନେ ଭାରତୀୟ ପାର୍ଶ୍ୱକୁ ପ୍ରବେଶ କରିଥିବା ବିବାଦ ବିଷୟରେ ଉଲ୍ଲେଖ କରି ସିଡିଏସ୍ ରାୱତ କହିଛନ୍ତି ଯେ, ଏହି ତଥ୍ୟ ସତ୍ୟ ନୁହେଁ ।
ଭାରତ-ଚୀନ ସୀମାରେ ଥିବା ଗ୍ରାମଗୁଡିକ ଚୀନର, ମାତ୍ର ସେସବୁ ଚୀନ ଅଞ୍ଚଳରେ ହିଁ ରହିଥିବା ରାୱତ ସ୍ପଷ୍ଟ କରିଛନ୍ତି । ଭାରତର ଅଞ୍ଚଳକୁ ଚୀନ ପ୍ରବେଶ କରିପାରି ନାହିଁ । ଆମେରିକାର ପ୍ରତିରକ୍ଷା ବିଭାଗ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ପରେ ପ୍ରତିରକ୍ଷା ମୁଖ୍ୟ ଏହାକୁ ଖଣ୍ଡନ କରିଛନ୍ତି । ରିପୋର୍ଟ ଅନୁଯାୟୀ, LAC ପୂର୍ବ ତିବ୍ଦତ ସ୍ବୟଂ ଶାସିତ ଅଞ୍ଚଳ ଏବଂ ଅରୁଣାଚଳ ପ୍ରଦେଶ ମଧ୍ୟରେ ଥିବା “ବିବାଦୀୟ ଅଞ୍ଚଳ” ମଧ୍ୟରେ ଚୀନ ଏକ ଗ୍ରାମ ନିର୍ମାଣ କରିଛି । ମାତ୍ର ଭାରତ ସରକାର ଏହି ଖବରକୁ ଖଣ୍ଡନ କରିଛନ୍ତି ।