ନୂଆଦିଲ୍ଲୀ:ଦେଶ ତାର ପ୍ରଥମ ସିଡିଏସଙ୍କୁ ହରାଇଲା । କିଛି ସମୟ ପୂର୍ବରୁ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସଙ୍କ ମୃତ୍ୟୁ ହୋଇଥିବା ଔପଚାରିକ ଭାବେ ସୂଚନା ଦେଇଛି ଭାରତୀୟ ବାୟୁସେନା । ପ୍ରଥମେ ଅନ୍ୟମାନଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ସିଡିଏସଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି ଖବର ସାମ୍ନାକୁ ଆସିଥିଲା । ତେବେ ତାଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଏହି ଅଘଟଣାରେ ସିଡିଏସ ଜେନେରାଲ ରାଓ୍ବତ, ପତ୍ନୀ ମଧୁଲିକାଙ୍କ ସମେତ ମୋଟ ୧୩ଜଣ ପ୍ରାଣ ହରାଇଛନ୍ତି । ସେହିପରି ଜଣେ ପାଇଲଟ ସଂଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ।
ମଧ୍ୟାନ୍ନ ସମୟରେ ଏକ ବାୟୁସେନା ସ୍ବତନ୍ତ୍ର ହେଲିକପ୍ଟର mi-17ରେ ତାମିଲନାଡୁର କନ୍ନୁରସ୍ଥିତ ପ୍ରତିରକ୍ଷା ଏକାଡେମୀ ସୁଲୁରରୁ ଫେରୁଥିଲେ ସିଡିଏସ ଜେନେରାଲ ବିପିନ ରାଓ୍ବତ । ସାଙ୍ଗରେ ଥିଲେ ପତ୍ନୀ ମଧୁଲିକା ଓ ସହକର୍ମୀ ପ୍ରତିରକ୍ଷା ଅଧିକାରୀଙ୍କ ସମେତ ମୋଟ ୧୪ ଜଣ । ତେବେ ସୁଲୁର ପହଞ୍ଚିବା ପେର ସ୍ବତନ୍ତ୍ର ବାୟୁସେନା ବିମାନରେ ଦିଲ୍ଲୀ ଫେରିଥାନ୍ତେ ସିଡିଏସ ଦମ୍ପତି । କନ୍ନୁର ଓ ସୁଲୁର ମଧ୍ୟରେ କ୍ରାସ ହେଲା MI-୧୭ । ଘଟଣା ସମ୍ପର୍କରେ ଜଣା ପଡିବା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିବାବେଳେ ଦିଲ୍ଲୀରେ ଆରମ୍ଭ ହୋଇଥିଲା ଉଚ୍ଚସ୍ତରୀୟ ବିଚାରବିମର୍ଶ । ପ୍ରତିରକ୍ଷାମନ୍ତ୍ରୀ ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବା ସହ ବାୟୁସେନା ମୁଖ୍ୟ ଦୁର୍ଘଟଣାସ୍ଥଳ ଗସ୍ତ କରିଥିଲେ । ତେବେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ସିଡିଏସଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ଭାରୀତୀୟ ବାୟୁସେନା ।