ପୁଡୁଚେରୀ:ରାତିରେ ବାଣ ଫୁଟାଇଥାନ୍ତେ, ଦୀପ ଜାଳି ଦୀପାବଳି ପାଳିଥାନ୍ତେ । ସେଥିପାଇଁ ଗାଡିରେ ଦୁଇ ବ୍ୟାଗ୍ ବାଣ ଧରି ଘରକୁ ଆସୁଥିଲେ ବାପ-ପୁଅ । ହେଲେ କିଏ ଜାଣିଥିଲା ରାତିରେ ଦୀପ ଜାଳିବା ଆଗରୁ ହିଁ ତାଙ୍କ ଜୀବନ ଦୀପ ଲିଭିଯିବ ବୋଲି । ଗାଡିରେ ବାଣ ଆଣୁଥିବା ସମୟରେ ବାଟରେ ଘଟିଯାଇଥିଲା ଭୟଙ୍କର ବିସ୍ଫୋରଣ । ଚାହୁଁ ଚାହୁଁ ସେହିଠାରେ ହିଁ ସବୁଦିନ ପାଇଁ ଆଝି ବୁଜିଛନ୍ତି କୁନି ପୁଅ ସହ ବାପା ।
ଗତକାଲି(ଗୁରୁବାର) ପୁଡୁଚେରୀରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି । ପୁଡୁଚେରୀର ଆରିୟଙ୍କୁପ୍ପାମ ସହରର କଲାଇନେସାନ(Kalainesan) ନାମକ ଜଣେ ବ୍ୟକ୍ତି ନିଜ ୭ ବର୍ଷର ପୁଅକୁ ନେଇ ବାଣ କିଣିବାକୁ ଯାଇଥିଲେ । ସାଙ୍ଗରେ ଦୁଇ ବ୍ୟାଗ୍ ବାଣ ଧରି ଘରକୁ ଫେରୁଥିଲେ । ମାତ୍ର ତାମିଲନାଡୁ କୋଟ୍ଟାକୁପ୍ପାମ ଅଞ୍ଚଳ ନିକଟରେ ହଠାତ୍ ବ୍ୟାଗ୍ ବୋଝେଇ ବାଣ ବିସ୍ଫୋରଣ ହୋଇଥିଲା । ଘଟଣାସ୍ଥଳରେ ହିଁ ବାପ-ପୁଅ ପ୍ରାଣ ହରାଇଥିଲେ । ବିସ୍ଫୋରଣ ସମୟରେ ଆଖପାଖରେ ଥିବା ଲୋକେ ମଧ୍ୟ ଆହତ ହୋଇଛନ୍ତି ।