ବେଙ୍ଗାଲୁରୁ:ବେଙ୍ଗାଲୁରୁରେ ବିରୋଧୀ ମହାମେଣ୍ଟ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଆତଙ୍କୀ ଆକ୍ରମଣ ନେଇ ହୋଇଥିବା ଷଡ଼ଯନ୍ତ୍ରର ଖୁଲାସା ହେବାରେ ଲାଗିଛି । ଏନେଇ 17 ତାରିଖରେ 5 ଆତଙ୍କୀଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଜଣେ ଗିରଫ ସନ୍ଦିଗ୍ଧ ଆତଙ୍କୀର ଘରୁ ଉଦ୍ଧାର କରାଯାଇଛି ଏକାଧିକ ହ୍ୟାଣ୍ଡ ଗ୍ରେନଡ । ଜେରା ପରେ ଏମାନଙ୍କ ନିକଟରେ ବିପୁଳ ପରିମାଣରେ ମାରଣାସ୍ତ୍ର ଓ ବସ୍ଫୋରକ ଥିବା ପୋଲିସ ଜାଣିବାକୁ ପାଇଥିଲା । ଆଜି କେନ୍ଦ୍ରୀୟ କ୍ରାଇମ ବ୍ରାଞ୍ଚ (CCB) ଜଣେ ଗିରଫ ଆତଙ୍କୀ ଜାୟଦ ତାବରେଜର ଘରୁ 4ଟି ହ୍ୟାଣ୍ଡ ଗ୍ରେନେଡ ଜବତ କରିବାରେ ସଫଳ ହୋଇଛି ।
CCB ଯୁଗ୍ମ କମିଶନର ପ୍ରେସମିଟ୍ କରି କହିଛନ୍ତି, "ଏହି ମାମଲାରେ ସୁହେଲ, ଜାୟଦ, ମୁଦାସିର, ଫୈଜାର ଏବଂ ଉମର ନାମକ 4ସନ୍ଦିଗ୍ଧ ଆତଙ୍କୀଙ୍କୁ ଗିରଫ କରାଯାଇ ସାରିଛି । ସେମାନଙ୍କ ନିକଟରୁ 7ଟି ଦେଶୀ ବନ୍ଧୁକ ଓ 42 ଗୁଳି, 4ଟି ଓ୍ବାକି-ଟକି 2 ଡ୍ରାଗର ଓ 12ଟି ମୋବାଇଲ ଫୋନ ଜବତ ହୋଇଥିଲା । ସେମାନଙ୍କ ନିକଟରେ ଏହା ବ୍ୟତୀତ ଅନ୍ୟ ବିସ୍ଫୋରକ ମଧ୍ୟ ଆକ୍ରମଣରେ ବ୍ୟବହାର ହେବା ପାଇଁ ରଖାଯାଇଥିବା ଜେରା ବେଳେ ଜଣାପଡିଥିଲା । ସୂଚନା ଅନୁସାରେ ଆଜି ଜଣେ ସନ୍ଦିଗ୍ଧ ଘରେ ଚଢାଉ କରି 4ଟି ହ୍ୟାଣ୍ଡ ଗ୍ରେନେଡ ମଧ୍ୟ ଜବତ କରିଛି । ଏହି ହ୍ଯାଣ୍ଡ ଗ୍ରେନେଡ ବିସ୍ଫୋରଣରେ ବ୍ୟବହାର କରିବା ପାଇଁ ଜୁନେଦ ନାମକ ଜଣେ ଆତଙ୍କବାଦୀ ସେମାନଙ୍କ ନିକଟକୁ ପଠାଇଥିଲା । ଜୁନେଦର ସୀମାପାର ଆତଙ୍କୀ ସଂଗଠନ ସହ ସମ୍ପର୍କ ରହିଛି । ସେ ଏବେ ଫେରାର ରହଥିବା ବେଳେ ବିଦେଶରେ ଆତ୍ମଗୋପନ କରିଥିବା ସନ୍ଦେହ କରାଯାଉଛି ।