ନୂଆଦିଲ୍ଲୀ:ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ତଦନ୍ତ ପରିସରରେ ଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଆଜି ସିବିଆଇରେ ହାଜର ହୋଇନାହାନ୍ତି । ଆଜି ପାଇଁ ସମନ ପାଇଥିଲେ ସୁଦ୍ଧା ହାଜର ହେବା ପାଇଁ ସେ ଆଉ ଏକ ସପ୍ତାହ ସମୟ ମାଗିଛନ୍ତି । ତାଙ୍କ ଅନୁରୋଧ କ୍ରମେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମଧ୍ୟ ପରେ ଆଉ ଏକ ତାରିଖରେ ତାଙ୍କୁ ହାଜର ହେବା ପାଇଁ ନୂଆ ସମନ ଜାରି କରିବ ବୋଲି ଜଣାପଡିଛି ।
ଏହି ବହୁଚର୍ଚ୍ଚିତ ମାମଲାରେ 15 ଜଣ ଅଭିଯୁକ୍ତଙ୍କ ସମେତ ଆଜି ସିସୋଦିଆଙ୍କୁ ମଧ୍ୟ ସିବିଆଇ କାର୍ଯ୍ୟାଳୟରେ ହାଜର ହେବା ପାଇଁ ସମନ ଜାରି କରାଯାଇଥିଲା । ହେଲେ ସେ ଏକ ସପ୍ତାହ ସମୟ ମାଗିଛନ୍ତି । ସିସୋଦିଆ କହିଛନ୍ତି, ‘‘ଏହା ଫେବୃଆରୀ ଶେଷ ସପ୍ତାହ । ଦିଲ୍ଲୀର ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଛି । ତେଣୁ ମୁଁ ବଜେଟ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ତେଣୁ ମତେ ଫେବୃଆରୀ ଶେଷ ପର୍ଯ୍ୟନ୍ତ ଦିଆଯାଉ । ମୁଁ ସେମାନଙ୍କୁ ମାସ ଶେଷ ପର୍ଯ୍ୟନ୍ତ ସମୟ ଦେବା ପାଇଁ ସମୟ ମାଗିଥିଲି । ଯାହା ଫଳରେ ଦିଲ୍ଲୀର ବଜେଟ ଚୂଡାନ୍ତ ହୋଇପାରିବ ।’’
ତେବେ ଆଜି ସିସୋଦିଆ ଅନ୍ୟ ଏକ ଗମ୍ଭୀର ଦାବି ମଧ୍ୟ କରିଛନ୍ତି । କହିଛନ୍ତି ଆଜି ତାଙ୍କୁ ଜେରା କରାଯାଇଥିଲେ ସିବିଆଇ ଗିରଫ କରିଥାନ୍ତା । ସେ ଗିରଫଦାରୀକୁ ଭୟ କରନ୍ତି ନାହିଁ କି ତଦନ୍ତକୁ ମଧ୍ୟ ସହଯୋଗ କରିବାରେ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି । ଦିଲ୍ଲୀର ବଜେଟ ପ୍ରସ୍ତୁତି କାରଣରୁ ସେ ଅଧିକ ସମୟ ମାଗିଛନ୍ତି । ବଜେଟ ପ୍ରସ୍ତୁତି ପରେ ପୁଣି ସେ ସିବିଆଇରେ ହାଜର ହୋଇ ତଦନ୍ତରେ ସହଯୋଗ କରିବେ ।