ଓଡିଶା

odisha

ETV Bharat / bharat

ସିସୋଦିଆଙ୍କ ସ୍ବୀକାରୋକ୍ତି: ପ୍ରମାଣ ନଷ୍ଟ କରିବାକୁ ୨ଟି ଫୋନ ନଷ୍ଟ କରିଥିଲେ - ପ୍ରମାଣ ନଷ୍ଟ କରିବାକୁ ୨ଟି ଫୋନ ନଷ୍ଟ କରିଥିଲେ ସିସୋଦିଆ

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା । ପ୍ରମାଣ ନଷ୍ଟ କରିବାକୁ ୨ଟି ଫୋନ ନଷ୍ଟ କରିଥିବା ସିବିଆଇ ଆଗରେ ମାନିଲେ ସିସୋଦିଆ । ଅଧିକ ପଢନ୍ତୁ

ପ୍ରମାଣ ନଷ୍ଟ କରିବାକୁ ୨ଟି ଫୋନ ନଷ୍ଟ କରିଥିଲେ ସିସୋଦିଆ
ପ୍ରମାଣ ନଷ୍ଟ କରିବାକୁ ୨ଟି ଫୋନ ନଷ୍ଟ କରିଥିଲେ ସିସୋଦିଆ

By

Published : May 20, 2023, 12:38 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଜେଲରେ ଥିବା ଆପ୍ ନେତା ସିସୋଦିଆଙ୍କ ସମ୍ପର୍କରେ ବଡ ଖବର ସାମ୍ନାକୁ ଆସିଛି । ମଦ ଦୁର୍ନୀତି ପ୍ରମାଣ ନଷ୍ଟ କରିବାକୁ ସିସୋଦିଆ ୨ଟି ଫୋନ ନଷ୍ଟ କରିଥିବା ସିବିଆଇ ଆଗରେ ସ୍ବୀକାର କରିଛନ୍ତି । ସିସୋଦିଆଙ୍କ ବିରୋଧରେ ଦାଖଲ ଚାର୍ଜସିଟ ଉପରେ କୋର୍ଟରେ ଶୁଣାଣି ସମୟରେ ସିବିଆଇ ଏହି ତଥ୍ୟ ଦେଇଛି । ଡିଜିଟାଲ ପ୍ରମାଣ ନଷ୍ଟ କରିବା ପାଇଁ ସିସୋଦିଆ ନିଜର ୨ଟି ଫୋନ ନଷ୍ଟ କରିଦେଇଥିବା କୋର୍ଟଙ୍କୁ ଜଣାଇଛି ତଦନ୍ତକାରୀ ସଂସ୍ଥା । ସିବିଆଇ ଚାର୍ଜସିଟ୍‌ରେ ମନୀଷ ସିସୋଦିଆ ଏକ ନମ୍ବର ଅଭିଯୁକ୍ତ ଅଛନ୍ତି ।

ଗତ ଫେବୃୟାରୀ ୨୬ରେ ସିବିଆଇ ମନୀଷ ସିସୋଦିଆଙ୍କୁ ପଚରାଉଚରା କରିବା ବେଳେ ସନ୍ତୋଷମୂଳକ ଉତ୍ତର ନମିଳିବା ଏବଂ ଅବକାରୀ ନୀତି ଦୁର୍ନୀତି ସହ ଜଡିତ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା । ତଦନ୍ତକାରୀ ଏଜେନ୍ସି ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଦୁର୍ନୀତି ସମୟରେ ସିସୋଦିଆ ଏକାଧିକ ମୋବାଇଲ ଫୋନ ବ୍ୟବହାର କରିଥିଲେ । ଗତବର୍ଷ ଅଗଷ୍ଟ ୧୯ରେ ସିବିଆଇ ଆପ୍ ନେତାଙ୍କ ଶେଷ ଫୋନ ଜବତ କରିଥିଲା । ଜବତ ହୋଇଥିବା ଫୋନ ଗତବର୍ଷ ଜୁଲାଇ ୨୨ ତାରିଖରୁ ସେ ବ୍ୟବହାର କରୁଥିଲେ । ସେତେବେଳେ ଗୃହ ମନ୍ତ୍ରଣାଳୟ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରିଥିଲା ।

ଏହାମଧ୍ୟ ପଢନ୍ତୁ: G20 Meet In Kashmir: କାଶ୍ମୀରରେ ଜି-୨୦ ବୈଠକ ନେଇ ଚୀନର କେଁ, ହେବନି ସାମିଲ

ସିବିଆଇ ଅଧିକାରୀଙ୍କ କହିବା ଅନୁସାରେ, ସିବିଆଇ ତଦନ୍ତ କରିବା କଥା ଜାଣିବା ପରେ ସିସୋଦିଆ ନିଜର ପୁରୁଣା ଫୋନ ଗୁଡିକୁ ନଷ୍ଟ କରିଦେଇଥିଲେ ଏବଂ ନୂଆ ଫୋନ ବ୍ୟବହାର କରିଥିଲେ । ପୂର୍ବରୁ ଇଡି ସିସୋଦିଆଙ୍କ ବିରୋଧରେ ମେ' ୪ରେ ଦାଖଲ କରିଥିବା ସପ୍ଲିମେଣ୍ଟାରୀ ଚାର୍ଜସିଟରେ ମଧ୍ୟ ଅବକାରୀ ନୀତି ପ୍ରଣୟନ କରିବା ଏବଂ ବର୍ଷକ ମଧ୍ୟରେ ୧୪ଟି ଫୋନ ବଦଳାଇବାର ଅଭିଯୋଗ କରିଥିଲା । ସେଥିମଧ୍ୟରୁ ଦୁଇଟି ଫୋନ ଇଡି ଜବତ କରିଥିଲା । କିନ୍ତୁ ପରେ ସେ ଦୁଇଟି ଫୋନର କୌଣସି ପତ୍ତା ମିଳିନଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହୋଇ ଜେଲରେ ଅଛନ୍ତି । ଗୋଟିଏ ପଟେ ତାଙ୍କର ବେଲ୍ ଆବେଦନ ଖାରଜ ହେବା ସହ ନ୍ୟାୟିକ ହାଜତ ଅବଧି ମଧ୍ୟ ବଢିବାରେ ଲାଗିଛି । ନିକଟରେ ରାଉଜ ଆଭିନ୍ୟୁ କୋର୍ଟ ତାଙ୍କ ନ୍ୟାୟିକ ହାଜତ ଅବଧିକୁ ମେ' ୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details