ନୂଆଦିଲ୍ଲୀ:ବୈଦେଶିକ ଅନୁଦାନ (ନିୟମାବଳୀ) ଅଧିନିୟମର ଉଲ୍ଲଘଂନ ଅଭିଯୋଗରେ ଗଣମାଧ୍ୟମ ସଂସ୍ଥା ‘ନ୍ୟୁଜକ୍ଲିକ୍’ ବିରୋଧରେ ମାମଲା ରୁଜୁ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) । ପୂର୍ବରୁ ଦିଲ୍ଲୀ ପୋଲିସ ଏହି ମାମଲାର ତଦନ୍ତ ଜାରି ରଖିଥିବା ବେଳେ ଏବେ କେନ୍ଦ୍ରୀୟ ତଥା ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇ ମଧ୍ୟ ଏଣ୍ଟ୍ରି ମାରିଛି । 3 ତାରିଖରେ ସଂସ୍ଥାର ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟାସ୍ଥ ଓ ସଂସ୍ଥାର ମାନବ ସମ୍ବଳ ବିଭାଗର ମୁଖ୍ୟ (ଏଚଆର ହେଡ) ଅନୀଲ ଚକ୍ରବର୍ତ୍ତୀଙ୍କୁ ବିଦେଶୀ ପାଣ୍ଠି ଓ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ ଗିରଫ କରିସାରିଛି । ଉଭୟ ଏବେ ରିମାଣ୍ଡରେ ଅଛନ୍ତି । ଆଜି କେନ୍ଦ୍ରୀୟ ସଂସ୍ଥା ସିବିଆଇ ମାମଲା ରୁଜୁ କରିବା ସହ ସଂସ୍ଥାର ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟ ସମେତ ପୁରକାୟାସ୍ତଙ୍କ ବାସଭବନରେ ଚଢାଉ କରିଛି ।
ଆଜି କେନ୍ଦ୍ରୀୟ ସଂସ୍ଥାର କାର୍ଯ୍ୟାନୁଷ୍ଠାନ ପରେ ପୋର୍ଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଏକ୍ସରେ ଟ୍ବିଟ କରି ନ୍ୟୁଜକ୍ଲିକ କହିଛି ‘‘ସିବିଆଇ ବର୍ତ୍ତମାନ ନ୍ୟୁଜକ୍ଲିକ୍ କାର୍ଯ୍ୟାଳୟରେ ଏବଂ ସଂସ୍ଥାର ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟାସ୍ଥଙ୍କ ବାସଭବନରେ ସର୍ଚ୍ଚ ଅପରେସନ କରୁଛି । ଆମ ସଂସ୍ଥାକୁ ତଦନ୍ତ ପରିସରଭୁକ୍ତ କରିବାରେ ଏହା ହେଉଛି ପଞ୍ଚମ ତଦନ୍ତକାରୀ ଏଜେନ୍ସି । ଆମେ ତଦନ୍ତକାରୀ ଅଧିକାରୀଙ୍କ ଟିମ୍ ସହ ସହଯୋଗ କରୁଛୁ ।’’
ଏହି ନ୍ୟୁଜ ପୋର୍ଟାଲ ବୈଦେଶିକ ଅନୁଦାନ ନିୟମାବଳୀ (FCRA) ଉଲ୍ଲଘଂନ କରି ଚୀନଠାରୁ ବିଦେଶୀ ପାଣ୍ଠି ଗ୍ରହଣ କରାଯାଇଥିବା ଅଭିଯୋଗ ହୋଇଥିଲା । ଅକ୍ଟୋବର 3 ତାରିଖରେ ପୋର୍ଟାଲ ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ଥଙ୍କୁ ବିଦେଶୀ ପାଣ୍ଠି ସଂଗ୍ରହ ଓ ଏଜେଣ୍ଡାଭିତ୍ତିକ ଭାବେ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିବା ଦର୍ଶାଇ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ୟୁନିଟ ଗିରଫ କରିସାରିଛି । ସେ ଓ ସଂସ୍ଥାର ଏଚଆର ହେଡ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି ।