ଓଡିଶା

odisha

Manipur Violence: SIT ଟିମ ଗଠନ କଲା ସିବିଆଇ, ହିଂସାକାଣ୍ଡରେ ୬ ମାମଲା ରୁଜୁ

By

Published : Jun 9, 2023, 8:10 PM IST

ମଣିପୁର ହିଂସାକାଣ୍ଡ ମାମଲାରେ ୬ଟି ମାମଲା ରୁଜୁ କଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । ଅଧିକ ପଢନ୍ତୁ

Etv Bharat
Etv Bharat

ଇମ୍ଫାଲ: ମଣିପୁର ହିଂସାକାଣ୍ଡ ଘଟଣାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଏକ ଏସଆଇଟି ଟିମ ଗଠନ କରିଛି । ଏହାସହିତ ଘଟଣାରେ ୬ଟି ମାମଲା ରୁଜୁ ହୋଇଥିବା ନେଇ ସିବିଆଇ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ୬ଟି ମାମଲା ମଧ୍ୟରୁ ୫ଟି ଅପରାଧିକ ଷଡ଼ଯନ୍ତ୍ର ଲାଗି ରୁଜୁ ହୋଇଛି । ଗତ ମେ' ୨୯ ତାରିଖରେ ମଣିପୁର ଗସ୍ତରେ ଆସି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମାମଲାର ସିବିଆଇ ତଦନ୍ତ ନେଇ କହିଥିବା ବେଳେ ଶାନ୍ତି ବଜାୟ ରଖିବା ଲାଗି ରାଜ୍ୟବାସୀଙ୍କୁ ଅପିଲ କରିଥିଲେ ।

କେନ୍ଦ୍ର ଗୃହମନ୍ତ୍ରୀ କୁକି ଓ ମୈଇତି ସମ୍ପ୍ରଦାୟର ଲୋକଙ୍କ ସହିତ ପୃଥକ ପୃଥକ ଭାବେ ବୈଠକ କରିଥିଲେ । ନିଜ ପାଖରେ ଥିବା ମାରଣାସ୍ତ୍ରକୁ ପୋଲିସ ନିକଟରେ ହସ୍ତାନ୍ତର କରାଇବା ସହିତ ଶାନ୍ତି ବଜାୟ ରଖିବାକୁ ଅପିଲ କରିଥିଲେ । ଏହାପରେ ରାଜ୍ୟରେ କିଛି ଦିନ ଧରି ସ୍ଥିତି ନିୟନ୍ତ୍ରଣକୁ ଆସିଥିବା ବେଳେ ପୁଣି ଶୁକ୍ରବାର ହିଂସାକାଣ୍ଡ ଘଟିଛି । ଏଥିରେ ଜଣେ ମହିଳାଙ୍କ ସମେତ ୩ଜଣଙ୍କର ମୃତ୍ୟୁ ଘଟିଛି । ଏହାସହିତ ୨ଜଣ ଆହତ ମଧ୍ୟ ହୋଇଛନ୍ତି । ଇମ୍ଫାଲ ୱେଷ୍ଟ ଜିଲ୍ଲା ଓ କଙ୍ଗପୋକପି ଅଞ୍ଚଳରେ ଘଟିଛି ଏହି ହିଂସାକାଣ୍ଡ । ମୈଇତି ସମ୍ପ୍ରଦାୟ ପକ୍ଷରୁ ଏହି ହିଂସାକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ଏହା ବି ପଢନ୍ତୁ- Karnataka Politics: ୧୧ରେ ଲାଗୁ ହେବ ଶକ୍ତି ଯୋଜନା, ବସ କଣ୍ଡକ୍ଟର ବେଶରେ ନଜର ଆସିବେ ସିଦ୍ଧରମୈୟା

ମଣିପୁରରେ ଗତ କିଛି ମାସ ଧରି ଲାଗି ରହିଥିବା ଏହି ହିଂସାକାଣ୍ଡରେ ଅନେକ ଲୋକ ବାସହୀନ ହୋଇଥିବା ବେଳେ ଅନେକ ଲୋକଙ୍କ ପ୍ରାଣହାନି ଘଟିଛି । ପ୍ରାୟ ୧୦୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୧୦ ଜଣ ଆହତ ହୋଇଛନ୍ତି । ସେହିପରି ୩୭,୪୫୦ ଜଣ ଲୋକେ ୨୭୨ଟି ଶିବିରରେ ରହୁଥିବା ଜଣାପଡ଼ିଛି । ହିଂସାକାଣ୍ଡ ଯୋଗୁଁ ସୁପ୍ରିମକୋର୍ଟ ମଣିପୁରରେ ୩ ମାସ ପର୍ଯ୍ୟନ୍ତ ଇଣ୍ଟରନେଟ ବନ୍ଦ କରିବା ଲାଗି ଆଦେଶ ଦେଇଥିଲେ । ଏହାକୁ ବିରୋଧ କରି ୨ଜଣ ଆବେଦନ କରିଥିବା ବେଳେ କୋର୍ଟ ଏହା ଉପରେ ତତ୍‌କାଳ ଶୁଣାଣି କରିବାକୁ ମନା କରିଥିଲେ ।

ଏ ନେଇ ଜଷ୍ଟିସ ଅନିରୁଦ୍ଧ ବୋଷ ଓ ଜଷ୍ଟିସ ରାଜେଶ ବନ୍ଦଲଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଥିଲେ ଯେ ଏନେଇ ଏକ ମାମଲା ହାଇକୋର୍ଟରେ ବିଚାରଧୀନ ରହିଛି । ଏନେଇ ନିୟମିତ ପୀଠଙ୍କ ନିକଟରେ ଆବେଦନ କରିବାକୁ କହିଥିଲେ ସୁପ୍ରିମକୋର୍ଟ । ସୂଚନା ଥାଉ କି ମଣିପୁରରେ ମୈଇତି ସମ୍ପ୍ରଦାୟ ୫୩ ପ୍ରତିଶତ ରହିଥିବା ବେଳେ ଏମାନେ ଇମ୍ଫାଲ ଘାଟିର ମୂଳ ବାସିନ୍ଦା । ସେହିପରି ନଗା ଓ କୁକି ଆଦିବାସୀ ସମ୍ପ୍ରଦାୟର ଜନସଂଖ୍ୟା ୪୦ ପ୍ରତିଶତ ରହିଥିବା ବେଳେ ଏମାନେ ପାହାଡ଼ିଆ ଅଞ୍ଚଳରେ ବସବାସ କରନ୍ତି । ସଂରକ୍ଷଣକୁ ନେଇ ଏହି ସମ୍ପ୍ରଦାୟଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ସେପଟେ ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ଲାଗି ରାଜ୍ୟରେ ସେନା ଓ ଆସାମ ରାଇଫଲର ୧୦ ହଜାର ଯବାନ ମୁତୟନ ହୋଇଛନ୍ତି ।

ABOUT THE AUTHOR

...view details