ନୂଆଦିଲ୍ଲୀ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପାଇଁ ଅଡୁଆ ବଢିଲା । ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବଙ୍ଗଳାର ନବୀକରଣରେ ହୋଇଥିବା ଆର୍ଥିକ ଅନିୟମିତତା ମାମଲାରେ ତଦନ୍ତ ଆରମ୍ଭ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ଆଜି କେନ୍ଦ୍ରୀୟ ସଂସ୍ଥା ବିଧିବଦ୍ଧ ଭାବେ ତଦନ୍ତ ଆରମ୍ଭ କରିଥିବା ବେଳେ ନବୀକରଣ କରିଥିବା ପୂର୍ତ୍ତ ବିଭାଗଠାରୁ ଖର୍ଚ୍ଚ ସମ୍ପର୍କିତ ସମସ୍ତ ତଥ୍ୟ ମାଗିଛି । ଆସନ୍ତା 3ଦିନ ମଧ୍ୟରେ ଦିଲ୍ଲୀ ପୂର୍ତ୍ତ ବିଭାଗ ବଙ୍ଗଳାର ନବୀକରଣରେ ହୋଇଥିବା ଖର୍ଚ୍ଚ ଓ ଅନ୍ୟ ସମସ୍ତ ତଥ୍ୟ ସିବିଆଇ ନିକଟରେ ଦାଖଲ କରିବ ।
ଏଥିରେ ପ୍ରାୟ 45 କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଅଭିଯୋଗ ହୋଇଛି । ଯାହା ପ୍ରାଥମିକ ବରାଦଠାରୁ ଯଥେଷ୍ଟ ଅଧିକ । ଆବଶ୍ୟକତାଠାରୁ ଅଧିକ ବିଳାଶମୟ ଭାବେ ଅଟ୍ଟାଳିକାକୁ ନବୀକରଣ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଆଜି ତଦନ୍ତ ଆରମ୍ଭ ହେବା ପରେ ଆମ ଆଦମୀ ପାର୍ଟି କହିଛି, ଏହା ଏକ ରାଜନୀତି । ପୂର୍ବରୁ ଦୁର୍ନୀତି ନେଇ କୌଣସି ତଥ୍ୟ ମିଳିନଥିଲା, କି ଏବେ ମଧ୍ୟ କିଛି ମିଳିବ ନାହିଁ ।
ପ୍ରଥମେ ଏହି ଅଭିଯୋଗ ଆସିବା ପରେ ଦିଲ୍ଲୀ ଉପରାଜ୍ୟପାଳ ବିନୟ ସକ୍ସେନା ସିବିଆଇ ତଦନ୍ତ ପାଇଁ ଚିଠି ଲେଖିଥିଲେ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପୂର୍ବରୁ ଏହି ମାମଲାରେ ଏକ ବିଶେଷ ଅଡିଟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା । ଏବେ ପୁଣି ଗୃହ ମନ୍ତ୍ରଣାଳୟ ସିଧା ସିବିଆଇ ତଦନ୍ତକୁ ମଞ୍ଜୁରୀ ଦେବା ପରେ କେନ୍ଦ୍ରୀୟ ସଂସ୍ଥା ମଧ୍ୟ ଅବିଳମ୍ବେ ତଦନ୍ତ ଆରମ୍ଭ କରିଛି । ଏବେ ପୂର୍ତ୍ତ ବିଭାଗ ଖର୍ଚ୍ଚ ସମ୍ପର୍କିତ ତଥ୍ୟ ଦାଖଲ କରିବା ପରେ ଏଥିରେ ଅନିୟମିତତା ସାମ୍ନାକୁ ଆସିବା ପରେ ସିବିଆଇ ସିଧା ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ବିରୋଧରେ ମାମଲା ରୁଜୁ କରିପାରେ ।