ଶ୍ରୀନଗର: ଜମ୍ମୁ କାଶ୍ମୀର ପୋଲିସ ବିଭାଗରେ ହୋଇଥିବା ଦୁର୍ନୀତି ମାମଲାରେ ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଆଜି ଚାର୍ଜସିଟ ଦାଖଲ କରିଛି । ଏହି ବହୁଚର୍ଚ୍ଚିତ ଦୁର୍ନୀତି ମାମଲାର ଚାର୍ଜସିଟରେ ମୋଟ 24ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛି ସଂସ୍ଥା । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବିଏସଏଫ ପୂର୍ବତନ କମାଣ୍ଡାଣ୍ଟଙ୍କ ସମେତ କାଶ୍ମୀର ପୋଲିସର ଜଣେ କନେଷ୍ଟବଳ, ଜଣେ ଆସିଷ୍ଟାଣ୍ଟ ସବ-ଇନ୍ସିପେକ୍ଟର ଓ ସୀମା ସୁରକ୍ଷା ବଳର ଜଣେ ଅଧିକାରୀ, କନେଷ୍ଟବଳ ଓ ଜଣେ ଶିକ୍ଷକ ମଧ୍ୟ ରହିଛନ୍ତି ।
ଅଗଷ୍ଟ ମାସରେ ଏହି ମାମଲାର ତଦନ୍ତ ଭାର ଗ୍ରହଣ କରିଥିଲା ସିବିଆଇ । ଜମ୍ମୁ କାଶ୍ମୀର ପୋଲିସ ବିଭାଗର ଚୟନ ବୋର୍ଡ (JKSSB) ଦ୍ବାରା ଭର୍ତ୍ତି ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଓ ପରେ ହୋଇଥିବା ପରୀକ୍ଷା ପ୍ରକ୍ରିୟାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ମାର୍ଚ୍ଚ 12 ତାରିଖରେ ଏହି ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ହୋଇଥିଲା । 12 ଶହ ସବ-ଇନ୍ସିପେକ୍ଟର ପଦବୀ ପାଇଁ ଆଶାୟୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ଚଳିତ ମାସ ଜୁନରେ ଏହାର ଫଳାଫଳ ପ୍ରକାଶ ପାଇବା ପରେ ବିବାଦ ଆରମ୍ଭ ହୋଇଥିଲା । ଏହି ପରୀକ୍ଷା ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିଲା । କାଶ୍ମୀର ପ୍ରଶାସନର ସୁପାରିଶ କ୍ରମେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା ।