ନୂଆଦିଲ୍ଲୀ:ଜମି ବଦଳରେ ଚାକିରି ମାମଲାରେ ଲାଲୁ ଯାଦବଙ୍କ ପରିବାର ପାଇଁ ବଢିଲା ଅଡୁଆ । ଏହି ଦୁର୍ନୀତି ମାମଲାର ତଦନ୍ତ କରୁଥିବା ସିବିଆଇ ସୋମବାର ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି । ଚାର୍ଜସିଟରେ ବିହାର ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବ, ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ଲାଲୁଙ୍କ ପତ୍ନୀ ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କ ସମେତ ଅନ୍ୟ କେତେଜଣଙ୍କ ନାମ ରହିଛି । ଆସନ୍ତା ୧୨ରେ କୋର୍ଟରେ ମାମଲାର ଶୁଣାଣି ହେବ ।
ଏହାପୂର୍ବରୁ ଜୁନ ୮ଟାରେ ଏହି ମାମଲାର ଶୁଣାଣି ବେଳେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(CBI) ଚାର୍ଜସିଟ୍ ଦାଖଲ କରିବା ପାଇଁ କୋର୍ଟଙ୍କୁ ସମୟ ମାଗିଥିଲା । ତେବେ ସମୟର ୯ ଦିନ ପୂର୍ବରୁ ଚାର୍ଜସିଟ୍ ଦାଖଲ ହୋଇଛି । ରାଉଜ ଆଭିନ୍ୟୁ କୋର୍ଟରେ ସିବିଆଇ କହିଥିଲା ଯେ, ବର୍ତ୍ତମାନ ଜମି ଦୁର୍ନୀତି ମାମଲାରେ ତଦନ୍ତ ଜାରି ରହିଛି । ଏହାସହିତ ଚାର୍ଜସିଟରେ କିଛି ନୂଆ ତଥ୍ୟ ସାମିଲ କରାଯିବାର ଅଛି । ସେଥିପାଇଁ ଆଉ କିଛି ସମୟ ଆବଶ୍ୟକ । ଫଳରେ ପୂର୍ବ ଶୁଣାଣି ସମୟରେ କୋର୍ଟ ମାମଲାର ଅଗ୍ରଗତି ପାଇଁ ତଦନ୍ତ ବ୍ୟୁରୋକୁ ନିର୍ଦ୍ଦେଶ ଦେବା ସହ ଶୁଣାଣି ସ୍ଥଗିତ ରଖିଥିଲେ ।
ଜାମିନରେ ଅଛନ୍ତି, ଲାଲୁ, ରାବ୍ରୀ ଦେବୀ ଓ ମିସା: ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଲାଲୁ ଯାଦବ, ରାବ୍ରୀ ଦେବୀ ଓ ଝିଅ ମିସା ଭାରତୀଙ୍କୁ କୋର୍ଟ ୧୫ ମାର୍ଚ୍ଚରେ ୫୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଥିଲେ । ଏହାପୂର୍ବରୁ ସିବିଆଇ ଟିମ୍ ଲାଲୁ ଯାଦବଙ୍କ ପାଟନା ବାସଭବନରେ ରାବ୍ରୀ ଦେବୀଙ୍କୁ ପଚରାଉଚରା କରିଥିଲା । ପରେ ୧୦ ମାର୍ଚ୍ଚରେ ଲାଲୁ ଯାଦବଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ଘରେ ଚଢାଉ କରାଯାଇଥିଲା ।