ନୂଆଦିଲ୍ଲୀ:କ୍ବାସ ଫର କ୍ବାରୀ ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଲୋକପାଳ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିବା ଦାବି କରିଛନ୍ତି ଅଭିଯୋଗକାରୀ ତଥା ବିଜେପି ସାଂସଦ ନିଶିକାନ୍ତ ଦୁବେ । ଦୁବେ ଏନେଇ ଟ୍ବିଟ ମଧ୍ୟ କରିଛନ୍ତି । ତାଙ୍କ ଅଭିଯୋଗ କ୍ରମେ ଲୋକପାଳ ମୋଇତ୍ରାଙ୍କ ବିରୋଧରେ ସିବିଆଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ସେ ଟ୍ବିଟରେ ଦାବି କରିଛନ୍ତି ।
ପୂର୍ବରୁ ଏହି ମାମଲା ସଂସଦ ଏଥିକ୍ସ କମିଟି ନିକଟରେ ବିଚାରାଧୀନ ରହିଛି । ଏଥିକ୍ସ କମିଟି କୌଣସି ଡ୍ରାଫ୍ଟ ଗୃହୀତ କରିନଥିବା ବେଳେ ସମସ୍ତ 3 ଜଣ ପକ୍ଷ ରଖି ସାରିଛନ୍ତି । ସଂସଦୀୟ ସଦାଚାର କମିଟିରେ ମାମଲା ଥିବା ବେଳେ 21 ତାରିଖରେ ନିଶିକାନ୍ତ ଦୁବେ ଏହି ଅଭିଯୋଗ ସହ ଲୋକପାଳଙ୍କ ନିକଟରେ ହାଜର ହୋଇଥିଲେ । ତେବେ ଆଜି ଲୋକପାଳଙ୍କ ପକ୍ଷରୁ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ସେ ଦାବି କରିଛନ୍ତି । ମାତ୍ର ଏନେଇ ସରକାରୀ ଭାବେ କିଛି ପ୍ରକାଶ କରାଯାଇନଥିବା ବେଳେ ମୋଇତ୍ରା ମଧ୍ଯ ଏହାକୁ ଖଣ୍ଡନ କରିଛନ୍ତି । ଏକ୍ସରେ ଦୁବେ ଲେଖିଛନ୍ତି, ମୋ ଅଭିଯୋଗ ଆଧାରରେ ଏହି ସିବିଆଇ ତଦନ୍ତ ନିର୍ଦ୍ଦେଶ ମିଳିଛି । ମୋଇତ୍ରା ଜାତୀୟ ସୁରକ୍ଷାକୁ ବନ୍ଧକ ରଖି ଦୁର୍ନୀତି କରିଛନ୍ତି । ଏବେ ତାଙ୍କ ବିରୋଧରେ ସିବିଆଇ ତଦନ୍ତ ହେବାକୁ ଯାଉଛି ।
ଏହି ମାମଲାରେ ସଂସଦୀୟ ସଦାଚାର କମିଟି ତାର ତଦନ୍ତ ଶେଷ କରିସାରିଛି । ଚଳିତ 9 ତାରିଖରେ କମିଟି ବୈଠକ ହେବାକୁ ଯାଉଛି । ଯେଉଁଥିରେ ଏହି ମାମଲାରେ ଡ୍ରାଫ୍ଟ ପାରିତ ହୋଇପାରେ । ଏହା ପରେ କମିଟି କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କିମ୍ବା ସରକାରଙ୍କୁ କ’ଣ ସୁପାରିଶ କରିବ ତାହା ସ୍ପଷ୍ଟ ହେବ ।