ଚଣ୍ଡିଗଡ: ଉତ୍ତର ପ୍ରଦେଶର ବାଦୟୁଁରେ ମୂଷା ହତ୍ୟା ପାଇଁ ମାମଲା ଦାଏର ହେବା ଘଟଣା ସର୍ବତ୍ର ଚର୍ଚ୍ଚା ସୃଷ୍ଟି କରିଥିଲା । ଏବେ ହରିୟାଣାରେ ଅନୁରୂପ ଏକ ମାମଲା ସାମ୍ନାକୁ ଆସିଛି । ଆମ୍ବାଲା ଜିଲ୍ଲାର ଶାହାଜଦପୁରରେ କୁକୁଡାଙ୍କୁ ହତ୍ୟା ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ (Case filed for killing hen in Haryana) । କୁକୁଡାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସମ୍ପୃକ୍ତ ଅଭିଯୁକ୍ତ ବିରୋଧରେ ପଶୁ କ୍ରୁରତା ଅଧିନିୟମ ଅନୁଯାୟୀ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ସୂଚନାନୁସାରେ, ଅନାମିକା ରାଣା ନାମକ ଜଣେ ଅଭିଯୋଗକାରୀ ଏ ସମ୍ପର୍କରେ ଅଭିଯୋଗ କରିଥିଲେ । ଅଭିଯୋଗକାରୀ ଅନାମିକା କହିଛନ୍ତି ଯେ ସେ NH-344 ରେ ନିଜ ପରିବାର ସହିତ ସାହାରନପୁର ଯାଉଥିଲେ । ସେହି ସମୟରେ ଜଣେ ଯୁବକ ବାଇକରେ ରଡ ବାନ୍ଧି ବହୁ କୁକୁଡାଙ୍କୁ ଓଲଟା ବାନ୍ଧି ନେଉଥିବାର ସେ ଦେଖିବାକୁ ପାଇଥିଲେ । ପରେ ସେ ଏନେଇ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଅଟକାଇବା ପରେ ସେଥିମଧ୍ୟରୁ ପ୍ରାୟ 24 କୁକୁଡାଙ୍କ ମୃତ୍ୟୁ ହୋଇ ସାରିଥିବା ଜଣାପଡିଥିଲା । ସେହିପରି ଅବଶିଷ୍ଟ ପ୍ରାୟ 27 ଟି କୁକୁଡ଼ାଙ୍କ ଅବସ୍ଥା ମଧ୍ୟ ଗୁରୁତର ଥିଲା ।