ନୂଆଦିଲ୍ଲୀ: ଆଖିରେ ଲୁହ ଓ କୋହଭରା ଛାତିରେ ବୀର ପୁଅ କ୍ୟାପଟେନ ବରୁଣ ସିଂହଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି ଦେଶବାସୀ ଓ ପରିବାର (last rites of group captain varun singh) । ତାମିଲନାଡୁ ହେଲିକପ୍ଟର ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଏକମାତ୍ର ବୀର ପୁତ୍ର ଗ୍ରୁପ କ୍ୟାପଟେନ ବରୁଣ ସିଂହ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ଆଜି ଭୋପାଳର ବରାଗଡ ମୁକ୍ତିଧାମରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପଞ୍ଚଭୂତରେ ବିଲୀନ ହୋଇଛି କ୍ୟାପଟେନ ବରୁଣ ସିଂହଙ୍କ ପାର୍ଥିବ ଶରୀର ।
ବୀର ପୁଅ ବରୁଣଙ୍କ ଅନ୍ତିମ ଦର୍ଶନ ପାଇଁ ଲୋକଙ୍କ ପ୍ରବଳ ଭିଡ ହୋଇଥିଲା । ବାସଭବନରୁ ତାଙ୍କର ଶୋଭାଯାତ୍ରାରେ ବାହାରିଥିଲା । ଅନ୍ତିମ ଶୋଭାଯାତ୍ରା ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ଲୋକେ ତାଙ୍କୁ ଅନ୍ତିମ ବିଦାୟ ଜଣାଇଥିଲେ । ଜବ ତକ ସୁରଜ ଚାନ୍ଦ ରହେଗା ବରୁଣ ଜୀ କା ନାମ ରହେଗା ସ୍ଲୋଗାନରେ କମ୍ପି ଉଠିଥିଲା ସ୍ଥାନୀୟ ଅଞ୍ଚଳ । ବରୁଣଙ୍କ ସାନ ଭାଇ ମୁଖାଗ୍ନୀ ଦେଇଛନ୍ତି । ବରୁଣଙ୍କ ଦେହାନ୍ତକୁ ଗ୍ରହଣ କରିପାରୁନି ପରିବାର ହେଲେ ବିଧିର ବିଧାନକୁ ସ୍ବୀକାର କରିବାକୁ ପଡିବ ।
ଗତକାଲି (ଗୁରୁବାର) ବେଙ୍ଗାଲୁରୁରେ ଚିକିତ୍ସାଧୀନ ଥିବା ହସ୍ପିଟାଲରୁ ତାଙ୍କ ପାର୍ଥିବ ଶରୀରକୁ ଏକ ସ୍ବତନ୍ତ୍ର ବାୟୁସେନା ବିମାନରେ ଆଜି ଭୋପାଳ ଅଣାଯାଇଥିଲା । ପାର୍ଥିବ ଶରୀର ଭୋପାଳ ବିମାନ ବନ୍ଦରରେ ପହଞ୍ଚିବା ପରେ ବାୟୁସେନା ଅଧିକାରୀ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବରୁଣଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ ।