କୋଲକାତା: କେନ୍ଦ୍ର ଗୃହମନ୍ତ୍ରଣାଳୟର ନିର୍ଦ୍ଦେଶକୁ ପଶ୍ଚିମବଙ୍ଗର ମମତା ସରକାରଙ୍କ ପ୍ରତ୍ୟାଖାନ । ଶନିବାର 3 ଜଣ ବରିଷ୍ଠ IPS ଅଧିକାରୀଙ୍କୁ ପଶ୍ଚିମବଙ୍ଗରୁ ଦାୟିତ୍ବରୁ ଅପସାରଣ କରି କେନ୍ଦ୍ରୀୟ ଡେପୁଟେସନରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏହାକୁ କାର୍ଯ୍ୟକାରୀ କରିବାକୁ ମନା କରିଦେଇଛନ୍ତି ମମତା ସରକାର । 3 ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠା ଯାଇପାରିବ ନାହିଁ ବୋଲି ପଶ୍ଚିମବଙ୍ଗ ସରକାର ସ୍ପଷ୍ଟ କରିଛନ୍ତି ।
ଗତ 10 ତାରିଖରେ ପଶ୍ଚିମବଙ୍ଗରେ ଏକ ରାଲି ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାରକେଡକୁ ପଥର ମାଡ ଘଟଣାରେ ସୁରକ୍ଷା ବ୍ୟବସ୍ଥାରେ ଅବହେଳା ଦର୍ଶାଇ ପଶ୍ଚିମବଙ୍ଗର ମୁ୍ଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ଘଟଣା ସମ୍ପର୍କରେ ଜବାବ ତଲବ ସହ 3 ବରିଷ୍ଠ IPS ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ।