ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଆଜି କ୍ରମାଗତ ଅଷ୍ଟମ ଦିନରେ ପହଞ୍ଚିଛି । ଭାରତୀୟଙ୍କୁ ଉଦ୍ଧାର ପାଇଁ ଜାରି ରହିଥିବା ସ୍ଥାନାନ୍ତରଣ ଅଭିଯାନ ‘ ଅପରେସନ ଗଙ୍ଗା’କୁ ସଫଳତାର ସହ ଜାରି ରଖିଛନ୍ତି କେନ୍ଦ୍ର ସରକାର । ତେବେ ଏହାରି ମଧ୍ୟରେ ସେଠାରେ ଫସି ରହିଥିବା ଛାତ୍ର ଓ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେବାକୁ ସର୍ବୋଚ୍ଚ କୋର୍ଟରେ ଏକ ମାମଲା ଦାଏର କରିଥିଲେ ଜଣେ ଆଇନଜୀବୀ । ଆଜି (ଗୁରୁବାର) ଏହି ମାମଲାରେ ଶୁଣାଣି କରିଛନ୍ତି ସର୍ବୋଚ୍ଚ କୋର୍ଟ ।
ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମଣାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି, ଭାରତୀୟଙ୍କ ସୁରକ୍ଷା ଆମର ପ୍ରଥମ ପ୍ରାଥମିକତା । ସେଠାରେ ଫସିଥିବା ଭାରତୀୟଙ୍କ ପ୍ରତି ଆମର ଯଥେଷ୍ଟ ସହାନୁଭୂତି ରହିବା ମଧ୍ୟ ଉଚିତ । କିନ୍ତୁ ଋଷକୁ ଯୁଦ୍ଧ ବନ୍ଦ କରିବା ପାଇଁ ଭାରତ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇ ପାରିବ ନାହିଁ ।
ଜଷ୍ଟିସ ରମଣା ଏହା ମଧ୍ଯ କହିଛନ୍ତି, ବର୍ତ୍ତମାନର ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି । ସୋସିଆଲ ମିଡିଆରେ ଅନେକ ଭିଡିଓ ମଧ୍ୟ ଘୁରି ବୁଲୁଛି ଯାହା ସେଠାକାର ଭୟାବହତାକୁ ବୟାନ କରୁଛି । ସେଠାରୁ ଭାରତୀୟଙ୍କୁ ସରୁକ୍ଷିତ ଉଦ୍ଧାର କରିବା ନିହାତି ଆବଶ୍ୟକ । କିନ୍ତୁ ଋଷ ରାଷ୍ଟ୍ରମୁଖ୍ୟ ପୁଟିନଙ୍କୁ ଯୁଦ୍ଧ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇ ପାରିବନାହିଁ । ଭାରତ ପକ୍ଷରୁ ଉଦ୍ଧାର ଅଭିଯାନକୁ ବ୍ୟାପକ କରାଯାଇପାରିବ ।
ସେହିପରି ଘଟଣାରେ ପ୍ରଧାନ ବିଚାରପତି ଏଜିଙ୍କ ଠାରୁ କେନ୍ଦ୍ର ସରକାର କଣ ପଦକ୍ଷେପ ନେିଛନ୍ତି ସେ ସମ୍ପର୍କରେ ଉତ୍ତର ଚାହିଁବା ସହ ଆଉ କଣ ସମ୍ଭାବ୍ୟ ଦିଗମାନ ରହିଛି ତାର ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉତ୍ତରରେ ଏଜି କେ.କେ ବେଣୁଗୋପାଲ ଜାରି ରହିଥିବା ଅଭିଯାନ ଅପରେସନର ଅଗ୍ରଗତି ସମ୍ପର୍କରେ ଖଣ୍ଡପୀଠଙ୍କ ସମ୍ମୁଖରେ ତଥ୍ୟ ରଖିବା ସହ ୪ଜଣ ମନ୍ତ୍ରୀ ୟୁରୋପର ୪ଦେଶ ଗସ୍ତ କରି ଅଭିଯାନର ନେତୃତ୍ବ ନେଉଥିବା ମଧ୍ୟ ସୂଚନା ଦେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ