ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନୀ ମହାସଂଗ୍ରାମରେ ପଡିଛି ପୂର୍ଣ୍ଣଛେଦ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ବରେ ବୃହତ ବିଜୟ ହାସଲ କରିଛି ତୃଣମୂଳ କଂଗ୍ରେସ । ହେଲେ ଚ୍ୟାଲେଞ୍ଜ ଲଗାଇ ନନ୍ଦିଗ୍ରାମରୁ ନିର୍ବାଚନ ଲଢିଥିବା ମମତା ବାନାର୍ଜୀଙ୍କ ପରାଜୟ ଦଳକୁ କରିଛି ନିରାଶ ।
ରାଜ୍ୟରେ କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ଟିଏମସି । ତେବେ ଦଳୀୟ ବୈଠକରେ ସର୍ବସମ୍ମତି କ୍ରମେ ମମତା ବାନାର୍ଜୀଙ୍କୁ ବିଧାୟକ ଦଳର ନେତା ଭାବରେ ଚୟନ କରାଯାଇଛି । ଏହାରି ମଧ୍ୟରେ 5 ମେ’ ରେ ଶପଥ ନେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏନେଇ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ଭେଟି ଇସ୍ତଫା ଦେଇଛନ୍ତି ଦିଦି । ହେଲେ ପରାଜୟ ପରେ ବି କିଭଳି ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ମମତା ବାନାର୍ଜୀ ?
ମୁଖ୍ୟମନ୍ତ୍ରୀ ପାଇଁ ମମତାଙ୍କ ପାଖରେ କଣ ରହିଛି ରାସ୍ତା ?
ମମତା ବାନାର୍ଜୀଙ୍କ ପାଖରେ ଏବେ ବି ମୁଖ୍ୟମନ୍ତ୍ରୀ ହେବାର ରାସ୍ତା ଖୋଲା ରହିଛି । ଏହି ରାସ୍ତା ତାଙ୍କୁ ଭାରତୀୟ ସମ୍ବିଧାନର ଅନୁଛେଦ 164(4)ରୁ ମିଳିପାରେ । ଏହି ଅନୁଛେଦ ଅନୁଯାୟୀ, ଯେକୌଣସି ବ୍ୟକ୍ତି ଯଦି କେଉଁ ରାଜ୍ୟର ମନ୍ତ୍ରୀ ହୁଅନ୍ତି, ତେବେ ତାଙ୍କୁ ଶପଥ ଗ୍ରହଣର ଆଗାମୀ 6 ମାସ ଭିତରେ ଗୋଟିଏ ବିଧାନସଭା ନିର୍ବାଚନୀମଣ୍ଡଳୀ ନିର୍ବାଚିତ ପ୍ରତିନିଧି କିମ୍ବା ବିଧାନପରିଷଦ ସଦସ୍ୟ ଭାବରେ ଚୟନ ହୋଇ ଆସିବାକୁ ପଡିବ ।
ଅନୁଛେଦ 164(4) ଅନୁଯାୟୀ, ରାଜ୍ୟର କୌଣସି ମନ୍ତ୍ରୀ ଯଦି 6 ମାସ ମଧ୍ୟରେ ରାଜ୍ୟର କୌଣସି ବିଧାନସଭା ସଦସ୍ୟ ହୋଇ ନପାରୁଛନ୍ତି ତେବେ ତାଙ୍କୁ ନିଜ ପଦ ଛାଡିବାକୁ ପଡିବ । ସମ୍ବିଧାନର ଏହି ପ୍ରାବଧାନ ଜରିଆରେ ମୁଖ୍ୟମନ୍ତ୍ରୀ ହୋଇପାରିବେ ମମତା ବାନାର୍ଜୀ ।