କୋଲକାତା: ପଶ୍ଚିମବଙ୍ଗର ବୀରଭୂମରେ ହୋଇଥିବା ରାଜନୈତିକ ଗଣହତ୍ୟା ଘଟଣା । ତୃଣମୂଳ ନେତା ଭଦୁ ଶେଖଙ୍କ ହତ୍ୟା ମାମଲାରେ କୋଲକାତା ହାଇକୋର୍ଟଙ୍କ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ(CBI) ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି । ଏହି ହତ୍ୟାକାଣ୍ଡରେ ବଙ୍ଗର ବୀରଭୂମ ଠାରେ ୮ ଜଣ ପ୍ରାଣ ହରାଇଥିଲେ । ଘଟଣାରେ ମୁମ୍ବାଇରୁ ସିବିଆଇ ଦ୍ବାରା ଗତକାଲି(ଗୁରୁବାର) ୪ ଜଣଙ୍କୁ ଗିରଫ କରାଯାଇଥିଲା । ଏମାନଙ୍କୁ ସିବିଆଇ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି ।
ଏହା ପୂର୍ବରୁ ସିବିଆଇ ୨୧ ଅଭିଯୁକ୍ତଙ୍କ ତାଲିକା ପ୍ରସ୍ତୁତ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ତୃଣମୂଳ କଂଗ୍ରେସର ବ୍ଲକ ସଭାପତି ଅନାରୁଲ ହୁସେନ ରହିଥିଲେ । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ସିବିଆଇ ଏକ ଟିମ ଗଠନ କରିବା ସହ ପଶ୍ଚିମବଙ୍ଗର ରାମପୁରହାଟରେ ଥିବା ସରକାରୀ ଅତିଥି ଭବନରେ ଏକ ଅସ୍ଥାୟୀ କ୍ୟାମ୍ପ ମଧ୍ୟ ପ୍ରତିଷ୍ଠା କରାଯାଇଛି । ସିବିଆଇ ଭଳି ସ୍ଥାନୀୟ ପୋଲିସ ମଧ୍ୟ ଅଭିଯୁକ୍ତଙ୍କ ତାଲିକା ପ୍ରସ୍ତୁତ କରିଥିଲା । ଏଥିରେ ସିବିଆଇ ତାଲିକାର ଅଭିଯୁକ୍ତଙ୍କ ନାମ ପ୍ରାୟତଃ ସମାନ ରହିଛି ।