କୋଲକାତା: ପଶ୍ଚିମବଙ୍ଗ ବୀରଭୂମି ହିଂସା ମାମଲାର ତଦନ୍ତ କରିବ ସିବିଆଇ(CBI) । ଏହି ନରସଂହାର ମାମଲାର ଶୁଣାଣି କରି ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପଶ୍ଚିମବଙ୍ଗ ହାଇକୋର୍ଟ । ପୂର୍ବରୁ ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ଏସଆଇଟି(SIT) ମାମଲାର ଯାଞ୍ଚ କରୁଥିଲା । ଏହାକୁ ବର୍ତ୍ତମାନ ସିବିଆଇକୁ ହସ୍ତାନ୍ତର କରାଯିବ । ମାମଲା ସହ ଜଡିତ ସମସ୍ତ ତଥ୍ୟ ସିବିଆଇକୁ ଦେବାକୁ କୋର୍ଟ SITକୁ ନିର୍ଦ୍ଦେଶ ଦେଇଛନ୍ତି ।
ଶୁଣାଣି ସମୟରେ କୋର୍ଟ କହିଛନ୍ତି, ପ୍ରମାଣ ଏବଂ ଘଟଣାର ପ୍ରଭାବକୁ ବିଚାର କଲେ ଜଣାପଡୁଛି କି, ରାଜ୍ୟ ପୋଲିସ ଏହି ମାମଲାର ଯାଞ୍ଚ କରିପାରିବ ନାହିଁ । ତେଣୁ CBI ଏହାର ତଦନ୍ତ କରିବ । ଏପ୍ରିଲ ୭ ତାରିଖ ସୁଦ୍ଧା ମାମଲାର ପ୍ରୋଗ୍ରେସ ରିପୋର୍ଟ ଦାଖଲ କରିବାକୁ କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । କହିରଖୁଛୁ କି, ବୀରଭୂମି ନରସଂହାର ମାମଲାର ତଦନ୍ତ ଭାର ସିବିଆଇକୁ ଦିଆଯାଉ ଦାବିରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର ହୋଇଥିଲା । ଏହାର ଶୁଣାଣି କରି ଆଜି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପଶ୍ଚିମବଙ୍ଗ ଉଚ୍ଚ ନ୍ୟାୟାଳୟ ।